ପ୍ରଭୁ ହନୁମାନ ଏକମାତ୍ର ଏପରି ଦେବତା ଯାହାଙ୍କ ଜନ୍ମଦିନ ବର୍ଷକୁ ଦୁଇ ଥର ଆସିଥାଏ। ଏହି କାରଣ ଯୋଗୁଁ ହନୁମାନଙ୍କ ବିଷୟରେ ଏପରି ଅନେକ କଥା ରହିଛି ଯାହା ତାଙ୍କୁ ସମସ୍ତ ଦେବତାଙ୍କ ମଧ୍ୟରେ ଖାସ୍ କରିଥାଏ। ପୌରାଣିକ ମତ ଅନୁସାରେ ହନୁମାନ ତ୍ରେତୟା ଯୁଗରୁ ଆରମ୍ଭ କରି ସୃଷ୍ଟିର ଅନ୍ତ ଯାଏଁ ନିଜ ଶରୀର ସହ ପୃଥିବୀ ପୃଷ୍ଠରେ ବିଦ୍ୟମାନ ଅଛନ୍ତି। ଧାର୍ମିକ ବିଶ୍ବାସ ରହିଛି ଯେ ଯେଉଁଠାରେ ରାମଙ୍କ କଥା ହୋଇଥାଏ ସେଠାରେ ହନୁମାନ କୌଣସି ନା କୌଣସି ରୂପରେ ଉପସ୍ଥିତ ଥାଆନ୍ତି।
ଚିରଞ୍ଜିବୀ ହନୁମାନଙ୍କ ଜନ୍ମସ୍ଥାନ ଏବଂ ଜନ୍ମତିଥିକୁ ନେଇ ଭିନ୍ନ ଭିନ୍ନ ବିଶ୍ବାସ ରହିଛି। ଉତ୍ତର ଭାରତରେ ପ୍ରଚଳିତ ମାନ୍ୟତା ଅନୁସାରେ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଅର୍ଥାତ୍ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ହୋଇଥିଲା। ବାଲ୍ମିକୀ ରାମାୟଣରେ ଏହି କଥାର ଉଲ୍ଲେଖ ମିଳିଥାଏ ଯେ ମଙ୍ଗଳବାର ଦିନ ସ୍ବାତୀ ନକ୍ଷତ୍ରରେ କାର୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଦିନ ହନୁମାନ ପ୍ରକଟ ହୋଇଥିଲେ। ଆଉ ଏକ ମାନ୍ୟତା ଅନୁସାରେ ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ତିଥିରେ ହନୁମାନଙ୍କ ଜନ୍ମ ହୋଇଥିଲା। ଏହି ତିଥି ଆଜି ପଡ଼ୁଛି। ଏହିପରି ହନୁମାନଙ୍କ ଜନ୍ମଦିନ ସମଗ୍ର ଭାରତରେ ୨ଥର ହୋଇଥାଏ।
ହନୁମାନଙ୍କ ଜନ୍ମତିଥିକୁ ନେଇ ଯେପରି ଗୋଟିଏ ମତ ନାହିଁ ସେହିଭଳି ତାଙ୍କ ଜନ୍ମସ୍ଥାନକୁ ନେଇ ଗୋଟିଏ ମତ ନାହିଁ।