ଝାରସୁଗୁଡା,୩୦/୧: ପଞ୍ଚଭୂତରେ ଲୀନ ହେଲା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖେରୁଆଲ ନଦୀ ପଠାରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବିଶାଲ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ଶୋକାକୂଳ ପରିବେଶରେ ପରିଜନଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ଅନେକ ମାନ୍ୟଗଣ ବ୍ୟକ୍ତି ଏବଂ ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ବିମାନବନ୍ଦରରେ ଏକ ସ୍ଵତନ୍ତ୍ର ବିମାନରେ ନବଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ସରବାହଲ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇ ଥିଲା। ସେଠାରେ ହିନ୍ଦୁ ରୀତି ନୀତି ରେ ପୂଜା ଅର୍ଚ୍ଚନା ପରେ ତାଙ୍କ ପାର୍ଥିବ ଶରୀରକୁ ସୁସଜ୍ଜିତ ରଥରେ ବେହେରାମଲ୍ ଛକ କୁ ନିଆଯାଇ ଥିଲା। ସେଠାରୁ ଏକ ଶୋଭାାତ୍ରାରେ ଝାରସୁଗଡା ସହର ପରିକ୍ରମା କରିବା ପରେ ସାଧାରଣ ଜନତାଙ୍କ ଦର୍ଶନ ପାଇଁ ମନମୋହନ ଏମ ଇ ସ୍କୁଲ୍ ପଡ଼ିଆରେ ରଖାଯାଇ ଥିଲା । ସେଠାରେ ନିଜର ପ୍ରିୟ ନେତାଙ୍କୁ ଦେଖିବାକୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସଂଖ୍ୟାରେ ଶୁଭେଚ୍ଛୁ ଓ ଦଳୀୟ କର୍ମୀ, ବିରୋଧୀ ନେତା ସମସ୍ତେ ସାମିଲ ହୋଇଥିଲେ। ନବଙ୍କ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ଯାଉଥିବା ବେଳେ ନବ ଦାଦା ଅମର ରହେ ନାରା ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।
ମନମୋହନ ଏମ ଇ ସ୍କୁଲରୁ ନବଙ୍କ ଶାରୀରକୁ ନେଇ ଅପରାହ୍ନ ୩ଟାରେ ଖେରୁଆଲ ନଦୀକୂଳକୁ ନିଆଯାଇ ଥିଲା। ସେଠାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରୋହିତ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଟୁକୁନି ସାହୁ, ରୀତା ସାହୁଙ୍କ ସହ ସାଂସଦ ସୁରେଶ ପୂଜାରୀ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ଶାରଦା ନାଏକ, ନରସିଂହ ମିଶ୍ର, କୁସୁମ ଟେଟେ,କଟକ ମେୟର ସୁବାସ ସିଂ ଙ୍କ ସହ ବହୁ ନେତା ଯୋଗଦେଇ ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଆଜି ନବଦାସଙ୍କ ଶବାଧାରରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇ ନିଜର ଦୁଃଖ ଓ କୋହକୁ ସମ୍ବରଣ କରି ନପାରି ଅଶ୍ରୁ ଛଳଛଳ ହୋଇ ଯାଇଥିଲା।ନବଙ୍କ ଶେଷକୃତ୍ୟ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ସଚିବ ଭିକେ ପଣ୍ଡିଆୟାନ ସାମିଲ ହୋଇଥିଲେ। ବିଜେଡ଼ି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି କାର୍ଯ୍ୟର ସୁପରିଚାଳନା ପାଇଁ ଉପସ୍ଥିତ ଥିଲେ।
