ଭୁବନେଶ୍ୱର, ୦୬/୦୫ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ସର୍କଲ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଏସ୍ସିବି ମେଡିକାଲ କଲେଜର ୧୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏସ୍ସିବି ମେଡିକାଲ କଲେଜ କ୍ୟାମ୍ପସ୍ ଶାଖାରେ ଟାବଲେଟ୍ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁସନ୍ର ଡିନ୍ ଡଃ. ପ୍ରତିଭା ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଏସ୍ସିବି ମେଡିକାଲ କଲେଜରେ ପଢିବା ସୈାଭାଗ୍ୟର କଥା ଏବଂ ମେଡିକାଲ କ୍ଷେତ୍ରରେ ଉତ୍କର୍ଷତା ଲାଭ କରି ଛାତ୍ରଛାତ୍ରୀମାନେ ସମାଜକୁ ନିଷ୍ଠାର ସହ ସେବା ଯୋଗାଇ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଏସ୍ବିଆଇ କଟକ ରିଜିଓନାଲ ଅଫିସର ଆଞ୍ଚଳିକ ପ୍ରବନ୍ଧକ ଅସ୍ମିନ୍ ଅନୁପମ ପ୍ରହରାଜ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟକ ଉପଦେଶ ପ୍ରଦାନ କରିଥିଲେ । ସେ ବ୍ୟାଙ୍କ ତରଫରୁ ଆର୍ଥିକ ଦୁର୍ବଳ ଓ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବ୍ୟଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରୟାସରେ ନିରନ୍ତର ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ । ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏସ୍ସିବି ଶାଖାର ସମସ୍ତ କର୍ମଚାରୀଙ୍କ ସମେତ ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟର ଅଧିକାରୀ ନିରଞ୍ଜନ ମହାପାତ୍ର, ବିଜୟ କୁମାର ମହାପାତ୍ର ଏବଂ ସଞ୍ଜିତ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏସ୍ବିଆଇର ଏହି ପଦକ୍ଷେପ ଶିକ୍ଷା ପାଇଁ ପ୍ରୋତ୍ସାହନ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପ୍ରତି ହାର ସମର୍ପଣକୁ ପ୍ରତିଫଳିତ କର୍ରୁଛି ।