ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ମୋଦୀ ଏମିତି ନେତା, ଯାହାଙ୍କ ଗୋଟିଏ ଅପିଲ୍‌ରେ ପୂରା ଦେଶ ଏକ ହୋଇ ଯାଇଛି : ଅମିତ୍ ଶାହା

ପାଟନା, ୮।୬: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ନିର୍ବାଚନୀ ଶଙ୍ଖନାଦ କରିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଗତକାଲି ଭର୍ଚୁଆଲ ରାଲି ‘ବିହାର ଜନସମ୍ବାଦ’କୁ ସମ୍ବୋଧିତ କରିଛନ୍ତି। ଅମିତ୍ ଶାହା ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, ଲାଲ୍ ବହାଦୂର ଶାସ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ଜଣେ ଏକମାତ୍ର ନେତା, ଯାହାଙ୍କ ଗୋଟିଏ ସ୍ଵରରେ ଲୋକେ ଏକ ହୋଇ ଘର ଭିତରେ ରହି ଥାଳି ବଜାଇ ଦୀପ ପ୍ରଜ୍ଜ୍ଵଳନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଏହି ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି କହିଛନ୍ତି ଦେଶରେ ଅନେକ ମହାମାରୀ ଆସିଛି, ସରକାର ଏହାର ମୁକାବିଲା କରିଛନ୍ତି। ଏବେ କରୋନା ଲଢେଇ ଦେଶ ପାଇଁ ଏମିତି ଏକ ଲଢେଇ ଯେଉଁଥିରେ ସରକାରଙ୍କ ସହିତ ଦେଶର ୧୩୦ କୋଟି ଜନତା ପ୍ରଧାନମନ୍ତ୍ରୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କେବଳ ଲଢେଇ କରୁ ନାହାନ୍ତି ବରଂ ଚଟ୍ଟାଣ ପରି ମୋଦୀଙ୍କ ସହ ଛିଡା ହୋଇ ରହିଛନ୍ତି। ସେ କହିଛନ୍ତି ଯେଉଁ ବିକଶିତ ରାଜ୍ୟ ଅଛନ୍ତି, ସେଠାରେ ବିହାର ଶ୍ରମିକଙ୍କ ଝାଳବୁହା ପରିଶ୍ରମର ବାସ୍ନା ରହିଛି। ମୋଦୀ ସରକାର ପ୍ରବାସୀଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି। କରୋନା ମହାମାରୀ ବେଳେ ଶ୍ରମିକ ଚାଲି ଚାଲି ଘରକୁ ଯିବା ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ଲାଗି ଗାଡି ବ୍ୟବସ୍ଥା କରାଯାଇଛି।

ଶାହା କହିଛନ୍ତି ଦେଶର ଜରୁରୀକାଳୀନ ସମୟରେ ବି ବିହାର ଜନତା ଗଣତନ୍ତ୍ରକୁ ସ୍ଥାପିତ କରିବାର କାମ କରିଛନ୍ତି। ଏହି ମଞ୍ଚ ଜରିଆରେ ଆରଜେଡିକୁ କଟାକ୍ଷ କରି ଶାହା କହିଛନ୍ତି ସ୍ଵାଧୀନତାର ୬୦ ବର୍ଷ ପରେ ବି ଲୋକଙ୍କ ଘରେ ବିଜୁଳି ନଥିଲା। ସେମାନଙ୍କୁ ଲଣ୍ଠନ ଜାଳିବାକୁ ପଡୁଥିଲା। ମାତ୍ର ଏବେ ଲଣ୍ଠନ ଯୁଗ ଯାଇ ସାରିଛି ଏବଂ ଏଲଇଡି ବଲ୍‌ର ଜମାନା ଆସିଛି।