ଦ୍ୱିତୀୟ ଦିନରେ ଗୃହ ଅଚଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୩/୦୯ : ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ଯୋଗୁଁ ଧୋଇଯାଇଛି । ଏମଏମଡିଆର ଆଇନ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରହିଛି । ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିଲେ । ଆଜିର କାର୍ଯ୍ୟସୂଚୀରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସ୍‌ଏମ୍‌ଇ (MSME) ତଥା ବିଜ୍ଞାନ ଓ କାରିଗରୀ ବିଭାଗ ସାମିଲ ରହିଥିଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖୁଥିବାବେଳେ ବିରୋଧୀ ପ୍ରବଳ ନାରାବାଜି କରିଥିଲେ । ବିରୋଧୀ ବିଧାୟକମାନେ ଏମଏମଡିଆର ଆଇନ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ କରି ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୃହକୁ ଅଚଳ କରିଦେଇଥିଲେ । କଂଗ୍ରେସ ମଧ୍ୟ ବିଜେଡ଼ି ସହିତ ତାଳ ଦେଇ ହୋହାଲ୍ଲା କରିଥିଲା । ଫଳରେ ପ୍ରଶ୍ନର ଉତ୍ତର କିଛି ବି ଶୁଭି ନ ଥିଲା । ଫଳରେ ମଞ୍ଚାସୀନ ଥିବା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଯଦ୍ୱାରା ପ୍ରଶ୍ନକାଳ ସହିତ ଦିନ ତମାମର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଏହା ପରେ ବିଜେଡ଼ି ବିଧାୟକମାନେ ପ୍ଲାକାର୍ଡ ଧରି ଲୋୟର ପିଏମଜିକୁ ଶୋଭା ଯାତ୍ରାରେ ଯାଇଥିଲେ । ବିଧାୟକମାନଙ୍କ ସହିତ ବିଜେଡ଼ି ଛାତ୍ର ଓ ଯୁବ ସଂଗଠନ ଯୋଗ ଦେଇଥିଲା । ଏହା ପରେ ଧାରଣା ସ୍ଥଳକୁ ଯାଇଥିଲେ । ଗତକାଲି ମଧ୍ୟ ପ୍ରଥମ ଦିନରେ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ପୂର୍ବାହ୍ନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ଦଳ ନାରାବାଜି କରିଥିଲେ ।