ସୈତାନ ସ୍ୱାମୀର ଅମାନୁଷିକ କାଣ୍ଡ : କାଠ ଫାଳିଆରେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ମାରି ଦେଲା

ଉଦଳା,୧୧/୬: ସାମାନ୍ୟ କଥାରୁ ହେଲା ବଚସା। ଆଉ ଉତ୍‌କ୍ଷିପ୍ତ ସ୍ବାମୀ ଅତି ନିର୍ମମ ଭାବେ ସ୍ତ୍ରୀକୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି । ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳ ପଥରଖଣି ଗ୍ରାମରେ। ସ୍ବାମୀ ଏବଂ ସ୍ତ୍ରୀ ସାଙ୍ଗରେ ହାଟକୁ ଯାଇଥିଲେ । ହେଲେ ହାଟରୁ ଫେରିବା ପରେ ରୋଷେଇ ଆରମ୍ଭ କରିବାରେ ସ୍ତ୍ରୀ ବିଳମ୍ବ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ ।

ବଚସା ଏତେ ଉଗ୍ରରୂପ ନେଲା ଯେ ସ୍ତ୍ରୀ ନିନିଙ୍କୁ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଲା ଜହ୍ଲାଦ ସ୍ବାମୀ ଜୁଲୁ । ଏହି ହତ୍ୟାକାଣ୍ଡ କରିବା ପରେ ଅଭିଯୁକ୍ତ ଜୁଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାସହ ତାଙ୍କ ଦୁଇ ଝିଅ ଯାଇ ପଡୋଶୀଙ୍କୁ ଡାକିଥିଲେ । ପଡୋଶୀ ଏ ବାବଦରେ ଜାଣିବା ପରେ ଏ ନେଇ କପ୍ତିପଦା ଥାନାକୁ ଖବର ଦେଇଥିଲେ। କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ତଦନ୍ତ ଆରମ୍ଭ କରିଛି। ତବେ ଅଭିଯୁକ୍ତ ସ୍ବାମୀ ଫେରାର ରହିଛି । ଅନ୍ୟପଟେ ସ୍ବାମୀ ଜୁଲୁ ସ୍ତ୍ରୀ ନିନିର ଗୋଡ, ଛାତି, ମୁଣ୍ଡ ଏବଂ ହାତକୁ କାଠ ଫାଳିଆରେ ବାଡେଇ ହତ୍ୟା କରିଥିବା ଜଣାଯାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଛି।