ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଆଧାର-ପ୍ୟାନ ଲିଙ୍କ୍‌

ନୂଆଦିଲ୍ଲୀ,୨୫ /୬ : ଆଜି କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ପ୍ୟାନ ସହ ଆଧାର ସଯ଼ୁକ୍ତ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଶେଷ ତାରିଖକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଆଜି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

୨୦୧୮ ଜୁନ ମାସରେ ସରକାର କହିଥିଲେ ଯେ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ଆଧାର ସହ ପ୍ୟାନ ଲିଙ୍କ୍ କରିହେବ । କିନ୍ତୁ ସମୟ ସୀମା ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏହି ସମୟସୀମାକୁ ବାରମ୍ବାର ବଢାଇଚାଲିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଏହି ଶେଷ ତାରିଖ ବାରମ୍ବାର ବଢିଚାଲିଛି ।

ଲୋକମାନେ ଏବେ ଦୁଇଟି ଉପାୟ- ଅନଲାଇନ ଓ ଅଫଲାଇନରେ ନିଜର ଆଧାର ନମ୍ବର ସହ ପ୍ୟାନ ନମ୍ବରକୁ ଲିଙ୍କ୍‌ କରିପାରିବେ । ସେମାନେ ଆୟକର ବିଭାଗ େଓ୍ଵବସାଇଟକୁ ଯାଇ ଏହା କରିପାରିବେ । ଏହାଛଡ଼ା ଅଫଲାଇନରେ ସେମାନେ ନିକଟସ୍ଥ ପ୍ୟାନ ସେବା କେନ୍ଦ୍ର, ଏନଏସଡିଏଲ୍‌ କିମ୍ବା ୟୁଟିଆଇଆଇଟିଏସଏଲକୁ ଯାଇ ପ୍ୟାନ ନମ୍ବର ସହ ଆଧାର ଲିଙ୍କ୍‌ କରିପାରିବେ ।