ନୂଆଦିଲ୍ଲୀ, ୦୧/୧୦ : ଏସିଆନ୍ ଗେମ୍ସରେ ପାକିସ୍ତାନକୁ ୪-୩ ଗୋଲରେ ହରାଇ ପୁରୁଷ ହକି ଫାଇନାଲରେ ଭାରତ । ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ୪-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ଏହି ବିଜୟ ସହ ପାକିସ୍ତାନ ବିପକ୍ଷରେ ନିଜର ଅପରାଜେୟ ରେକର୍ଡକୁ ୨୧ଟି ମ୍ୟାଚକୁ ଆଗେଇଛି ଭାରତ । ମ୍ୟାଚ ଶେଷ ହେବାକୁ ମାତ୍ର ୪୯ ସେକେଣ୍ଡ ବାକି ଥିବା ବେଳେ ୬୦ତମ ମିନିଟରେ ଅଭିଷେକ ଏକ ଚମତ୍କାର ଫିଲ୍ଡ ଗୋଲ୍ ସ୍କୋର କରି ଭାରତକୁ ବିଜୟୀ କରାଇଥିଲେ । ଭାରତ ପକ୍ଷରୁ ହରମନପ୍ରୀତ ସିଂହ, ସୁଖଜିତ ସିଂହ ଓ ଅଭିଷେକ ଗୋଲ ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିଲା । ଅଧିନାୟକ ହରମନପ୍ରୀତ ସିଂହ ୫ମ ଏବଂ ୧୩ତମ ମିନିଟରେ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଥିଲେ । ଦ୍ୱିତୀୟ କ୍ୱାର୍ଟରର ୨୩ତମ ମିନିଟରେ ସୁଖଜିତ ସିଂହ ଏକ ଦର୍ଶନୀୟ ଫିଲ୍ଡ ଗୋଲ୍ ଦେଇ ଦଳର ସ୍କୋରକୁ ୩-୦ କରିଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ ପାକିସ୍ତାନ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଭାରତ ବିପକ୍ଷରେ ୩ଟି ଗୋଲ ଦେଇ ସ୍କୋରକୁ ୩-୩ ସମାନ ସ୍ଥିତିକୁ ଆଣିଥିଲା । ମ୍ୟାଚ୍ ଶେଷ ହେବାକୁ ଯାଉଥିବା ବେଳେ ଅଭିଷେକ ପାକିସ୍ତାନୀ ଗୋଲକିପରଙ୍କୁ ଚକମା ଦେଇ ବିଜୟ ସୂଚକ ଗୋଲ୍ ସ୍କୋର କରିଥିଲେ । ଦକ୍ଷିଣ କୋରିଆ ଏବଂ ମାଲେସିଆ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଫାଇନାଲରେ ଭେଟିବ ଭାରତ ।