ନୂଆଦିଲ୍ଲୀ, ୨୪/୦୭ : ଜିମ୍ବାୱେକୁ ୭ ୱିକେଟ୍ ରେ ହରାଇଲା ଭାରତ । ୧୫ ବର୍ଷରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ । ୧୯ ବଲରେ ଧୂଆଁଧାର ୫୦ । ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆନ୍ତର୍ଜାତିକ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ରେ ମାତ୍ର ୧୫ ବର୍ଷ ବୟସରେ ଅର୍ଦ୍ଧଶତକ ହାସଲ କରି ପୁରୁଷ ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ ରେ ସର୍ବକନିଷ୍ଠ ଖେଳାଳି ଭାବେ ନୂଆ ରେକର୍ଡ ଗଢ଼ିଛନ୍ତି । ହରାରେରେ ଖେଳାଯାଇଥିବା ମ୍ୟାଚ୍ ରେ ବୈଭବ କେବଳ ୧୯ଟି ବଲ୍ ରେ ୫୦ ରନ୍ କରିଥିଲେ । ତାଙ୍କ ଇନିଂସରେ ୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା । ତାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୨୬ ରନ୍ ର ଲକ୍ଷ୍ୟକୁ ଭାରତ ମାତ୍ର ୧୩.୨ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ୭ ୱିକେଟ୍ ରେ ବିଜୟୀ ହୋଇଥିଲା । ଏହାସହ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା । ଭାରତ ପକ୍ଷରୁ ମୟଙ୍କ ଯାଦବ ଓ ପ୍ରିନ୍ସ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ମୟଙ୍କ ଯାଦବଙ୍କୁ ‘ପ୍ଲେୟର ଅଫ ଦ ମ୍ୟାଚ୍’ ଭାବେ ସମ୍ମାନିତ କରାଯାଇଥିଲା । ଏହି ଇନିଂସ ସହ ବୈଭବ ଗିବ୍ରାଲଟରର ଲୁଇସ ବ୍ରୁସଙ୍କ ସର୍ବକନିଷ୍ଠ ଟି-୨୦ ଅର୍ଦ୍ଧଶତକ ରେକର୍ଡକୁ ଭାଙ୍ଗିଛନ୍ତି । ଏହାସହ ସେ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସର୍ବକନିଷ୍ଠ ଆନ୍ତର୍ଜାତିକ ଅର୍ଦ୍ଧଶତକ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି । ବିହାରର ଏହି ବାମହାତୀ ଓପନର ନିକଟରେ ଇଂଲଣ୍ଡ ଗସ୍ତରେ ବଡ଼ ସ୍କୋର କରିପାରିନଥିଲେ । କିନ୍ତୁ ହରାରେର ସେହି ପଡ଼ିଆରେ, ଚଳିତ ବର୍ଷ ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ୧୭୫ ରନ୍ କରିଥିଲେ, ସେଠାରେ ପୁଣିଥରେ ନିଜ ପ୍ରତିଭାର ଝଲକ ଦେଖାଇଛନ୍ତି ।
