ଭାରତ ଚୀନ ବିବାଦ : ଜରୁରୀ ଅବତରଣ ପାଇଁ କାଶ୍ନୀରରେ ଭାରତ ନିର୍ମାଣ କରୁଛି ସ୍ୱତନ୍ତ୍ର ଏୟାରଷ୍ଟ୍ରୀପ୍

ନୂଆଦିଲ୍ଲୀ,୪/୬ : ଭାରତ ଏବଂ ଚୀନ୍ ମଧ୍ୟରେ ଭବିଷ୍ୟତରେ ଯୁଦ୍ଧ ଆଶଙ୍କାକୁ ଅଧିକ ସମୟ ପାଇଁ ଏଡାଇ ଦିଆଯାଇ ନ ପାରେ। ଅନ୍ତତଃ ପକ୍ଷେ ଭାରତୀୟ ସେନା ଏହାକୁ ଗ୍ରହଣ କରି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦକ୍ଷିଣ କାଶ୍ମୀରର ଜାତୀୟ ରାଜପଥରେ ବିଜବେହାର ନିକଟରେ ଯୁଦ୍ଧ ବିମାନର ଜରୁରୀ ଅବତରଣ ପାଇଁ ରନୱେ ପ୍ରସ୍ତୁତ କରୁଛି ଭାରତୀୟ ସେନା ।

ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବର୍ତ୍ତମାନ ଖବର ହେଡଲାଇନରେ ପରିଣତ ହୋଇଛି। ଦିନକୁ ଦିନ ବିଗୁଡୁଥିବା ପରିସ୍ଥିତିକୁ ଦେଖି ଦୁଇ ଦେଶ ମଧ୍ୟରେ କୌଣସି ମୂହୁର୍ତ୍ତରେ ଯୁଦ୍ଧ ନ ହେବ ତାହା କେହି ବି ଆକଳନ କରିପାରୁ ନାହାଁନ୍ତି । ତେଣୁ ସେନା ପକ୍ଷରୁ କୌଣସି ବି କ୍ଷେତ୍ରରେ କିଛି ଉଣା ନ ରହୁ ସେ ନେଉ ବ୍ୟାପକ ପ୍ରୟାସ କରାଯାଉଛି । ଯୁଦ୍ଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷିଣ କାଶ୍ମୀରର ବିଜବେହେରା ଠାରେ 3.5 କିଲୋମିଟର ଲମ୍ବା ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଉଛି। ଯେକୌଣସି ସମୟରେ ଜରୁରୀକାଳୀନ ଯୁଦ୍ଧ ବିମାନ ଅବତରଣ ପାଇଁ ଏହା ବ୍ୟବହାର କରାଯାଇପାରିବ |

ତେବେ ସେନା ଅଧିକାରୀଙ୍କ କହିବାନୁସାରେ, ନିକଟରେ ଲଦାଖ ବିବାଦ ପୂର୍ବରୁ ହିଁ ମୋଦି ସରକାର ଏହି ଯୋଜନାରେ କାମ ଆରମ୍ଭ କରିଥିଲେ। ତେବେ ଆଶ୍ୱାସନାର ବିଷୟ ଏହା ଯେ ଚୀନ୍ ଏବଂ ଭାରତର ସୈନ୍ୟମାନେ ବର୍ତ୍ତମାନ ଲଦାଖର ଗାଲଭାନ୍ ଉପତ୍ୟକାର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ପଛକୁ ହଟିଛନ୍ତି । ଚୀନ୍ ନିଜର ସେନାକୁ ଦୁଇ କିଲୋମିଟର ପଛକୁ ଫେରାଇ ନେଇଥିବାବେଳେ ଭାରତ ମଧ୍ୟ ନିଜ ସେନାକୁ ଏକ କିଲୋମିଟର ପଛକୁ ଫେରାଇ ଆଣିଛି । କିନ୍ତୁ ଫିଙ୍ଗର ଫୋର ଅଞ୍ଚଳରେ ଦୁହି ଦେଶର ସେନା ବାହିନୀ ବର୍ତ୍ତମାନ ମଧ୍ୟ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ଫିଙ୍ଗର ଫୋର୍ ଅଞ୍ଚଳ ଏପର୍ଯ୍ୟନ୍ତ ଭାରତର ଦଖଲରେ ଅଛି ହେଲେ ଅନେକ ସପ୍ତାହ ଧରି ଚୀନ୍ ସେନା ଏଠାରେ ଜବରଦସ୍ତ ନିଜ ଉପସ୍ଥିତି ଜାହିର କରୁଛି ।

ଜୁନ୍ 6 ତାରିଖରେ ପାଙ୍ଗୋଙ୍ଗାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଫିଙ୍ଗର ଫୋର ଅଞ୍ଚଳକୁ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଏହି ବୈଠକରେ ଦୁଇ ସେନାର ଲେଫ୍ଟନାଣ୍ଟ ପଦବୀର ଅଧିକାରୀଙ୍କ ମଧ୍ୟରେ ବୈଠକ ବସିବ । ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ଏହି ବୈଠକର ଗୁରୁତ୍ୱ ବଢିଯାଇଛି । ଲେହରେ ଅବସ୍ଥାପିତ ଥିବା 14 କର୍ପସ କମାଣ୍ଡରଙ୍କ ପ୍ରତିନିଧୀ ଦଳ ଭାରତ ପକ୍ଷରୁ ଏହି ବୈଠକରେ ଯୋଗଦେବେ । ବର୍ତ୍ତମାନ ସୀମାରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ବୈଠକରେ ନିଶ୍ଚିତ କିଛି ସକରାତ୍ମକ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।