ଦେଶର ନାମ ପରିବର୍ତ୍ତନକୁ ନେଇ ଆଜି ସୁପ୍ରିମକୋର୍ଟ କରିବେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି : ଇଣ୍ଡିଆ ନା ଭାରତ !

ନୂଆଦିଲ୍ଲୀ,୨ /୬: ଦେଶର ସରକାରୀ ନାମ ଭାରତ କିମ୍ବା ହିନ୍ଦୁସ୍ଥାନ କରିବା ଦାବି ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବାର ଥିଲା, କିନ୍ତୁ ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ଉପଲବ୍ଧ ନ ଥିବାରୁ ଏହାକୁ ଘୁଞ୍ଚାଯାଇଥିଲା ।

ଆବେଦନକାରୀ କହିଛନ୍ତି ଯେ ସମ୍ୱିଧାନ ସଭାରେ ଅନେକ ସଦସ୍ୟ ଉପନିବେଶିକ ଶାସକମାନଙ୍କ ଦ୍ୱାରା ଦିଆଯାଇଥିବା ଇଣ୍ଡିଆ ନାମ ବ୍ୟତୀତ ଭାରତ କିମ୍ବା ଅନ୍ୟ କୌଣସି ନାମ ସପକ୍ଷରେ ଥିଲେ। ସଂପୂର୍ଣ୍ଣ ସହମତି ଅଭାବରୁ ଏହି ବିଷୟଟିକୁ ଭବିଷ୍ୟତରେ ବିଚାର କରାଯିବ ବୋଲି ଛାଡି ଦିଆଗଲା | ବର୍ତ୍ତମାନ ସେହି ସମୟ ଆସିଛି। ଯେପରି ଅନେକ ସହରର ନାମ ପରିବର୍ତ୍ତନ କରାଯାଇଥିଲା, ସେହିଭଳି ଦେଶର ନାମ ମଧ୍ୟ ଭାରତ କିମ୍ବା ହିନ୍ଦୁସ୍ତାନରେ ପରିବର୍ତ୍ତିତ ହେବା ଉଚିତ୍ | ଏହାଦ୍ୱାରା ଦେଶରେ ରାଷ୍ଟ୍ରୀୟ ସ୍ୱାଭିମାନର ଭାବନା ବୃଦ୍ଧି ପାଇବ |

ଆବେଦନକାରୀ କହିଛନ୍ତି ଯେ ଏହା କରିବା ଦ୍ୱାରା ସ୍ୱାଧୀନତା ଆନ୍ଦୋଳନରେ ସହଯୋଗ କରିଥିବା ସଂଗ୍ରାମୀଙ୍କ ବଳିଦାନ ଅର୍ଥପୂର୍ଣ୍ଣ ହେବ । ଧାରା 1 କୁ ପରିବର୍ତ୍ତନ କରିବାକୁ ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟରେ ଦାବି କରାଯାଇଛି।