ଭୁବନେଶ୍ୱର, ୦୩/୧୦ : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଭୂଟାନର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ “ଇଣ୍ଡିଆ ଟ୍ରେକ୍ । ଭୂଟାନ ଡେଲିଗେସନ୍ କେମ୍ବ୍ରିଜ୍ ଏକାଡେମିକ୍ ଇମର୍ସନ୍ ପ୍ରୋଗ୍ରାମ୍” ଅନୁଷ୍ଠିତ। ଅକ୍ଟୋବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଭୂଟାନରୁ ଆସିଥିବା ୪୦ ଜଣିଆ ଏକ ପ୍ରତିନିଧି ଦଳ ଅଂଶଗ୍ରହଣ କରିଛନ୍ତି । ଶିକ୍ଷା, ଦକ୍ଷତା ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଅଧ୍ୟୟନ ଓ ଅଭିଜ୍ଞତାର ଆଦାନପ୍ରଦାନ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଆଜି ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିଛନ୍ତି ।
ଆଜି ଭୁଟାନର ଏହି ପ୍ରତିନିଧି ଦଳ କିଟ୍, କିସ୍ ଆଉ କିମ୍ସ ମଧ୍ୟ ବୁଲି ଦେଖିବା ସହ ଡ. ସାମନ୍ତଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ଡ. ସାମନ୍ତ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଆର୍ଟ ଅଫ୍ ଗିଭିଂ କୁ ପ୍ରଶଂସା କରିଛନ୍ତି ଭୁଟାନ ନାଗରିକ । ଖାଲି ସେତିକି ନୁହେଁ, ବରଂ ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନୀ ସବୁବେଳେ ଅନୁପ୍ରାଣିତ କରିବ ବୋଲି କହିଛନ୍ତି ଭୂଟାନରୁ ଆସିଥିବା ଏହି ପ୍ରତିନିଧି ଦଳ । ଆସନ୍ତା ଦିନରେ ଭୂଟାନର ଏହି ପ୍ରତିନିଧି ଦଳ ଓଡ଼ିଶାର କଳା, ସାହିତ୍ୟ ଓ ଭାସ୍କର୍ଯ୍ୟକୁ ବୁଲି ଦେଖିବା ସହ ଆମ ଇତିହାସ ବିଷୟରେ ଅଧିକ ଜାଣିବା ପାଇଁ ଖଣ୍ଡଗିରି, ଉଦୟଗିରି ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାକୁ କିଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।