ଇତିହାସ ରଚିବ ଭାରତ, ଆଜି ମହାକାଶକୁ ଉଡ଼ାଣ ଭରିବ ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’

ନୂଆଦିଲ୍ଲୀ, ୧୮/୦୭ : ଇତିହାସ ରଚିବ ଭାରତ । ଉଡ଼ିବ ଭାରତର ପ୍ରଥମ ବେସରକାରୀ ରକେଟ । ଆଜି ମହାକାଶକୁ ଉଡ଼ାଣ ଭରିବ ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’ । ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ହାଇଦ୍ରାବାଦର ମହାକାଶ ଷ୍ଟାର୍ଟଅପ୍ ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ବେସରକାରୀ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ ତାର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଭରିବ । ଏହି ଐତିହାସିକ ଅଭିଯାନର ନାମ ‘ମିଶନ୍ ଆଗମନ’ ରଖାଯାଇଛି । ଆଜି ସକାଳ ସାଢେ ୧୧ଟାରେେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଏହା ମହାକାଶକୁ ପ୍ରକ୍ଷେପଣ କରାଯିବ। ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ଏହା ଏକ ବିରାଟ ସଫଳତା । ଯାହା ବାଣିଜ୍ୟିକ ଉପଗ୍ରହ ପ୍ରକ୍ଷେପଣ ବଜାରରେ ଭାରତର ଦକ୍ଷତାକୁ ଆହୁରି ମଜବୁତ କରିବ । କାର୍ବନ-କମ୍ପୋଜିଟ୍ ରେ ତିଆରି ଏହି ରକେଟର ଉଚ୍ଚତା ପ୍ରାୟ ୨୦ ରୁ ୨୪ ମିଟର। ଏହା ଏକ ୪-ଷ୍ଟେଜ୍ ରକେଟ୍ । ଏହାର ପ୍ରଥମ ତିନୋଟି ସ୍ତରରେ କଠିନ ଇନ୍ଧନ ଏବଂ ଶେଷ ସ୍ତରରେ ପୁନଃ-ଚାଳିତ ତରଳ ଇନ୍ଧନ ରହିଛି । ଏଥିରେ ରମଣ ଇଞ୍ଜିନ ବ୍ୟବହାର କରାଯାଇଛି । ଯାହା ଉପଗ୍ରହକୁ ସଠିକ୍ କକ୍ଷପଥରେ ସ୍ଥାପିତ କରିବାରେ ସାହାଯ୍ୟ କରିବ। ଏହା ୩୫୦ ରୁ ୪୮୦ କିଲୋଗ୍ରାମ ଓଜନର ପେଲୋଡ୍ କୁ ପୃଥିବୀର ନିମ୍ନ କକ୍ଷପଥକୁ ନେଇପାରିବ । ୪୫୦ କିଲୋମିଟର ଉଚ୍ଚତାରେ ଏଲଇଓର ୬୦° କୋଣରେ ଉପଗ୍ରହ ସ୍ଥାପନ କରିବ ।

ଏହି ପରୀକ୍ଷାମୂଳକ ଉଡ଼ାଣର ମୁଖ୍ୟ ଲକ୍ଷ୍ୟ ହେଉଛି ରକେଟ୍ ର ଗତିଶୀଳତା, ଗାଇଡାନ୍ସ, ନାଭିଗେସନ୍, କଣ୍ଟ୍ରୋଲ୍ ଏବଂ ଷ୍ଟେଜ୍ ଅଲଗା ହେବା ପ୍ରକ୍ରିୟାର ସମସ୍ତ ଇନ୍-ଫ୍ଲାଇଟ୍ ଡାଟା ସଂଗ୍ରହ । ଯାହା ଆଗାମୀ ଦିନରେ ବାଣିଜ୍ୟିକ ଉଡ଼ାଣକୁ ଅଧିକ ସହଜ କରିବ । ବିକ୍ରମ-୧ ନିଜ ସହ ନେଇଯାଉଥିବା ଉପଗ୍ରହ ଏବଂ ସାଂସ୍କୃତିକ ସ୍ମାରକୀ ହେଲା ଗ୍ରାହା ସ୍ପେସ୍ ର SOLARAS S3 କ୍ୟୁବ୍ ସାଟ୍, କସମୋସର୍ଭ ସ୍ପେସର ‘ଏମବ୍ରେସ୍’ ରୋବୋଟିକ୍ ଆର୍ମ । ଯାହା ମହାକାଶ ଆବର୍ଜନା ହଟାଇବା କାମରେ ଆସିବ। ଏହା ସହ ଜର୍ମାନୀର DCUBED ପେଲୋଡ୍, ସ୍କାଏରୁଟ୍ ର ନିଜସ୍ୱ SCOPE ସାଟେଲାଇଟ୍ ରହିଛି । ସାଂସ୍କୃତିକ ପ୍ରତୀକ ଭାବେ ହୀରା ଗହଣା “କସମିକ୍ ବ୍ଲୁମ୍” ଏବଂ ଏକ ୧୮ କ୍ୟାରେଟ୍ ସୁନାର ମାଇକ୍ରୋ-ରକେଟ୍ । ଯେଉଁଥିରେ ଭାରତର ମହାନ ବୈଜ୍ଞାନିକ ସି.ଭି. ରମଣ, ବିକ୍ରମ ସାରାଭାଇ ଏବଂ ଏ.ପି.ଜେ. ଅବଦୁଲ କଲାମଙ୍କ ନାନୋ-ଭାସ୍କର୍ଯ୍ୟ ରହିଛି । ୨୦୨୨ ମସିହାରେ ‘ବିକ୍ରମ-ଏସ ର ସଫଳ ସବ୍-ଅର୍ବିଟାଲ୍ ଉଡ଼ାଣ ପରେ ସ୍କାଏରୁଟ୍ ଏହି ବଡ଼ ମିଶନ ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି ଚଳାଇଥିଲା । ୨୦୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରକେଟ ଲୋକାର୍ପଣ କରିଥିଲେ । ଏବେ ଏହା ଲଞ୍ଚ ପ୍ୟାଡ୍ ରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସ୍କାଏରୁଟ ସିଇଓ ପବନ କୁମାର ଚନ୍ଦନା କହିଛନ୍ତି ଇସ୍ରୋ (ISRO) ଏବଂ ଇନ୍-ସ୍ପେସ୍ (IN-SPACe) ର ସହଯୋଗ ଓ ସଂସ୍କାର ଯୋଗୁଁ ଏହି ମିଶନ ସମ୍ଭବ ହୋଇପାରିଛି । ଆଜିର ସଫଳ ଉଡ଼ାଣ ଭାରତକୁ ବିଶ୍ୱର ଛୋଟ ଉପଗ୍ରହ ପ୍ରକ୍ଷେପଣ ବଜାରରେ ଏକ ପ୍ରମୁଖ ଶକ୍ତି ଭାବେ ପ୍ରଦର୍ଶନ କରିବ ।

SBI AD