ନୂଆଦିଲ୍ଲୀ, ୧୧/୦୮ : ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଇଣ୍ଡିଆନ୍ ପ୍ରିମୟର୍ ଲିଗ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ ୱିକେଟ୍ କିପର୍ ତଥା ବାମ ହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ପୋରେଲ ଗିରଫ ହୋଇଛନ୍ତି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହୁଗୁଳି ମୋଗରା ଥାନା ପୋଲିସ ତାଙ୍କୁ ଆଜି ସକାଳେ ଗିରଫ କରିଥିବା ସୂଚନା ମିଳିଛି । ଆଜି ତାଙ୍କର ଆଗୁଆ ଜାମିନ ଆବେଦନ ଶୁଣାଣି ଥିଲା । ମାତ୍ର କୋଲକାତା ହାଇକୋର୍ଟ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଷେକଙ୍କ ସମସ୍ତ ବୈଦ୍ୟୁତିକ ସାମଗ୍ରୀ ଯଥା ମୋବାଇଲ୍ ଓ ଲାପଟପ୍ ଇତ୍ୟାଦି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ ଗିରଫ କରିଛି । ପରେ ଅଭିଷେକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିନସୁରାହ କୋର୍ଟରେ ହାଜର କରାଯାଇଛି ।
ହୁଗୁଳିର ମୋଗରା ଥାନା ଅନ୍ତର୍ଗତ ଜଣେ ମେଡ଼ିକାଲ କଲେଜ ଛାତ୍ରୀ ଅଭିଷେକଙ୍କ ନାମରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅଭିଷେକ ତାଙ୍କୁ ବିବାହ କରିବେ କହି ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଦୃଶ୍ୟକୁ ଅଭିଷେକ ରେକର୍ଡ କରିଥିଲେ । ଦୁହିଁଙ୍କ ପରିବାର ମଧ୍ୟରେ ବିବାହକୁ ନେଇ କଥାବାର୍ତ୍ତା ମଧ୍ୟ ହୋଇଥିଲା । କିନ୍ତୁ ଅଭିଷେକ ଅନ୍ୟ ମହିଳାଙ୍କ ସହିତ ମଧ୍ୟ ସମ୍ପର୍କ ରଖିଥିବା ସେ ଜାଣିବାକୁ ପାଇବା ପରେ ଯୁବତୀ ଜଣକଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ଗତ ୨ ଏପ୍ରିଲରେ ଘଟିଛି । ଅଭିଷେକଙ୍କ ଉପରେ ମୋଟ ୧୯ଟି ଧାରାରେ ମାମଲା ରୁଜୁ ହୋଇଛି । ତେବେ ଅଭିଷେକଙ୍କ ଉପରେ ଲାଗିଥିବା ଅଭିଯୋଗର କେତେ ସତ୍ୟତା ଅଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।