ନୂଆଦିଲ୍ଲୀ, ୦୩/୦୩ : ଦକ୍ଷିଣ ଇରାନର ଗେରାଶ ସହରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ (USGS) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ରହିଥିଲା। ଅଳ୍ପ ଗଭୀରତାରେ ଏହି କମ୍ପନ ହୋଇଥିବାରୁ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା କାହାର ପ୍ରାଣହାନି ହୋଇଥିବା ନେଇ ସୂଚନା ମିଳିନାହିଁ। ତଥାପି, ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରେ ଯାଞ୍ଚ ଜାରି ରହିଛି।