ତେହେରାନ,୨୨/୩ : ୪୮ ଘଣ୍ଟା ଭିତରେ ହର୍ମୁଜ ଖୋଲ, ନ ହେଲେ ତୁମ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ପରେ ନରମିଛି ଇରାନ। ଜାତିସଂଘରେ ଅବସ୍ଥାପିତ ଇରାନର ଜଣେ ବରିଷ୍ଠ ପ୍ରତିନିଧି କହିଛନ୍ତି କେବଳ ‘ଶତ୍ରୁ’ (ଆମେରିକା-ଇସ୍ରାଏଲ) ସହ ଜଡିତ ଜାହାଜ ବ୍ୟତୀତ ଅନ୍ୟ ସମସ୍ତ ଜାହାଜ ପାଇଁ ଜଳପଥ ଖୋଲା ରହିଛି। ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନରେ ଇରାନର ପ୍ରତିନିଧି ଅଲି ମୌସାଭି ରବିବାର କହିଛନ୍ତି ଯେ, ତେହେରାନ ସହ କଥାବାତର୍ତ୍ତା କରି ‘ଇରାନର ଶତ୍ରୁ’ ସହିତ ଜଡିତ ନ ଥିବା ଜାହାଜଗୁଡ଼ିକ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିପାରିବେ। ସେ ଆହୁରି କହିଛନ୍ତି ଯେ, ସାମୁଦ୍ରିକ ନିରାପତ୍ତାରେ ଉନ୍ନତି ଆଣିବା ଏବଂ ଉପସାଗରରେ ନାବିକମାନଙ୍କୁ ସୁରକ୍ଷା ଦେବା ପାଇଁ ତେହେରାନ ମିଳିତ ଜାତିସଂଘ ସଂସ୍ଥା ସହିତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। କୂଟନୀତି ଇରାନର ପ୍ରାଥମିକତା ହୋଇ ରହିଛି। ତଥାପି ଆକ୍ରମଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ପାରସ୍ପରିକ ବିଶ୍ୱାସ ଓ ଆତ୍ମବିଶ୍ୱାସ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୌସାଭି କହିଛନ୍ତି।
ଫେବ୍ରୁଆରି ୨୮ରେ ଇରାନ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଯୋଗାଣ ମାର୍ଗକୁ ବନ୍ଦ କରିଦେଇଥିଲା, ଯାହା ଦେଇ ବିଶ୍ୱର ତୈଳ ଓ ଏଲ୍ପିଜିର ଏକ ପଞ୍ଚମାଂଶ ଯାଇଥାଏ। ଏହା କହିଥିଲା ଯେ ଏହା ଆମେରିକା, ଇସ୍ରାଏଲ ଓ ସେମାନଙ୍କ ସହଯୋଗୀମାନଙ୍କ ନିକଟରେ ଏକ ଲିଟର ତୈଳ ମଧ୍ୟ ପହଞ୍ଚିବାକୁ ଦେବ ନାହିଁ। ଯୁଦ୍ଧ ସମୟରେ ଇରାନ ଅଧିକାଂଶ ଜାହାଜକୁ ସଂକୀର୍ଣ୍ଣ ପ୍ରଣାଳୀ ଦେଇ ଯିବାକୁ ବାରଣ କରିଛି, ଯାହା ବିଶ୍ୱକୁ ଶକ୍ତି ଯୋଗାଣରେ ସମସ୍ୟା ସୃଷ୍ଟି କରିଛି। ହର୍ମୁଜ ପ୍ରଣାଳୀ ପାର କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆମେରିକା ଏକ ମିଳିତ ନୌସେନା ମଞ୍ଚ ଗଠନ କରିବାକୁ ଚାହୁଥିଲା। କିନ୍ତୁ ଅଧିକାଂଶ ନାଟୋ ସହଯୋଗୀ କହିଛନ୍ତି ଯେ, ସେମାନେ ଇରାନ ବିରୋଧରେ ସାମରିକ ଅଭିଯାନରେ ଜଡିତ ହେବାକୁ ଚାହୁନାହାନ୍ତି।