ନୂଆଦିଲ୍ଲୀ, ୧୪/୦୨ : କଲମ୍ବୋର ସିଂହଳିଜ୍ ସ୍ପୋର୍ଟ୍ସ କ୍ଲବରେ ଶନିବାର ଖେଳାଯାଇଥିବା ଗ୍ରୁପ‘ବି’ର ଏକ ମ୍ୟାଚ୍ରେ ଓମାନକୁ ୯୬ ରନ ବ୍ୟବଧାନରେ ପରାସ୍ତ କରିଛି ଆୟର୍ଲାଣ୍ଡ୍। ତିନିଟି ମ୍ୟାଚ୍ ଖେଳିସାରିଥିବା ଆୟର୍ଲାଣ୍ଡ୍ ପାଇଁ ଏହା ପ୍ରଥମ ବିଜୟ ଓ ଏହି ବିଜୟ ସହ ଦଳ ପଏଣ୍ଟ୍ ଟେବୁଲରେ ଖାତା ଖୋଲିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ୍ ୫ ଓ୍ବିକେଟ୍ ହରାଇ ୨୩୫ ରନର ଏକ ବଡ଼ ସ୍କୋର୍ ଛିଡ଼ା କରିଥିଲା। ଦଳ ପକ୍ଷରୁ ଅଧିନାୟକ ଲୋର୍କାନ୍ ଟକର୍ ମାତ୍ର ୫୧ ବଲ୍ରୁ ଅପରାଜିତ ୯୪ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିବାବେଳେ ଗ୍ୟାରେଥ୍ ଡେଲାନି ୩୦ ବଲ୍ରେ ୫୬ ରନ୍ର ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଶେଷ ଓଭରଗୁଡ଼ିକରେ ଜର୍ଜ ଡକ୍ରେଲ୍ ମାତ୍ର ୯ଟି ବଲ୍ରେ ୩୫ ରନ୍ର ଏକ ବିସ୍ଫୋରକ ପାଳି ମାଧ୍ୟମରେ ସ୍କୋର୍କୁ ୨୩୫ରେ ପହଞ୍ଚାଇଥିଲେ। ଓମାନ ପକ୍ଷରୁ ସକିଲ ଅହମ୍ମଦ ୩୩ ରନ ବିନିମୟରେ ୩ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। ୨୩୬ ରନ୍ ଲକ୍ଷ୍ୟର ପିଛା କରିବାକୁ ଯାଇ ଓମାନ ୧୮ ଓଭରରେ ୧୩୯ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅମୀର କଲିମ୍ ୫୦ (୨୯ବଲ୍) କରିଥିବାବେଳେ ହମ୍ମାଦ୍ ମୀର୍ଜା ୪୬ ରନର ଯୋଗଦାନ ଦେଇଥିଲେ। କିନ୍ତୁ ଦଳର ଅନ୍ୟ ବ୍ୟାଟର୍ମାନେ ବିଫଳ ହୋଇଥିଲେ। ଆୟର୍ଲାଣ୍ଡ୍ ପକ୍ଷରୁ ଜୋସୁଆ ଲିଟଲ୍ ୧୬ ରନ ବିନିମୟରେ ୩ଟି ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ମ୍ୟାଥ୍ୟୁ ହୋଫ୍ରେଜ୍ ଓ ବେରି ମ୍ୟାକ୍କାର୍ଥି ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ। ଲୋର୍କାନ୍ ଟକର୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।