ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜମ୍ମୁ ଓ କଶ୍ମୀରର ଭାଗ୍ୟ ଓ ରୂପ ବଦଳିଯିବ : ରାଜନାଥ ସିଂହ

ନୂଆଦିଲ୍ଲୀ,୧୪/୬: ରବିବାର ଦିନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ‘ଜମ୍ମୁ ଓ କଶ୍ମୀର ଜନ ସମ୍ବନ୍ଧ ରାଲି’ରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆସନ୍ତା ବର୍ଷମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଜମ୍ମୁ ଓ କଶ୍ମୀରର ଭାଗ୍ୟ ଓ ରୂପ ବଦଳିଯିବ।

ସେ ଆହୁରି କହିଛନ୍ତି ଯେ ଖୁବ୍ ଶୀଘ୍ର ପାକିସ୍ତାନ ଅଧିକୃତ କଶ୍ମୀରର ଜନତା ମଧ୍ୟ ଦାବି କରିବେ ଯେ, ସେମାନେ ଭାରତରେ ସାମିଲ ହେବେ ପାକିସ୍ତାନ ଶାସନାଧୀନ ହୋଇ ରହିବେ ନାହିଁ। ଯେଉଁ ଦିନ ଏକଥା ଘଟିବ, ଆମ ପାର୍ଲାମେଣ୍ଟ୍‌ର ଲକ୍ଷ୍ୟ ମଧ୍ୟ ପୂରଣ ହେବ। ସେ ଆହୁରି କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଜମ୍ମୁ ଓ କଶ୍ମୀର ଉତ୍ତୁଙ୍ଗ ସଫଳତା ହାସଲ କରିବ।

ଧାରା ୩୭୦ ଉଚ୍ଛେଦ ପରର ପରିସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ କରି ପ୍ରତିରକ୍ଷା ମନ୍ତ୍ରୀ କହିଲେ ଯେ, ପୂର୍ବରୁ କଶ୍ମୀରରେ ‘କଶ୍ମୀର ଆଜାଦି’ ଦାବି କରି ପ୍ରତିବାଦ ହେଉଥିଲା ଏବଂ ପାକିସ୍ତାନ ଓ ଆଇଏସ୍ଆଇଏସ୍‌ର ପତାକା ଦୃଶ୍ୟମାନ ହେଉଥିଲା, କିନ୍ତୁ ଆମେ ଏବେ ଏଠ‌ାରେ ଭାରତୀୟ ପତାକାମାନ ଦେଖୁଛନ୍ତି।

ରାଲିକୁ ସମ୍ବୋଧନ କରିବା ବେଳେ ସିଂହ ମଧ୍ୟ କାପୁରୁଷ ଆକ୍ରମଣରେ ମୃତ ସରପଞ୍ଚ ଅଜୟ ପଣ୍ଡିତ ଏବଂ ବାରମୂଳାର ମହମ୍ମଦ ମକ୍‌ବୁଲ୍ ଶେର୍‌ୱାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ୧୯୪୭ ମସିହାରେ ମହମ୍ମଦ ମକ୍‌ବୁଲ୍ ଶେର୍‌ୱାନି କଶ୍ମୀର ଉପତ୍ୟକାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।