ଭୁବନେଶ୍ବର,୨୮/୧୨ : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନାହିଁ ବୋଲି ସେ କହିଛନ୍ତି ।
ଆଜି ତୁମୁଡ଼ିବନ୍ଧରେ ଏକ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି, ନବୀନ ସରକାର ଶୋଇ ରହିଥିବା ପରି ଲାଗୁଛି । ପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ଓ ଏହାର ଚାବି କୁଆଡେ ଗଲା ? ୪ ବର୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଖୋଲିବା କହିଥିଲେ, ତାହା କୁଆଡ଼େ ଗଲା ? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ, କିନ୍ତୁ ତାହା ବି ହୋଇପାରିଲା ନାହିଁ । କିଏ ସରକାର ଚଳାଉଛି ତାହା ଜଣାପଡୁନାହିଁ । ମହିଳା ବିରୋଧୀ ଅପରାଧରେ ଓଡ଼ିଶାରେ ଦ୍ବିଗୁଣ ହୋଇଗଲାଣି । ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି । ଅପରାଧୀମାନେ ଏବେ ପୁଲିସ ଉପରେ ବି ଆକ୍ରମଣ କରୁଛନ୍ତି ।
ଗୋଟିଏ ପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିଛନ୍ତି ନଡ୍ଡା। ସେ କହିଛନ୍ତି, ଆଇଏମଏଫର ରିପୋର୍ଟ ଅନୁସାରେ ଭାରତରେ ଏବେ ଗରିବ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଯାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ଏହା ସୁଫଳ । ଜନଧନ ଯୋଜନାରେ ୪୬ କୋଟି ଜନତାଙ୍କ ବ୍ୟାଙ୍କ ଖାତାରେ ସରକାରୀ ଅର୍ଥ ପହଞ୍ଚୁଛି ବୋଲି ସେ କହିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରେ ୧୦.୭୪ କୋଟି ଜନତାଙ୍କୁ ସ୍ବାସ୍ଥ୍ୟସେବା ମିଳିପାରୁଛି । ନବୀନବାବୁ ରାଜ୍ୟର ମଙ୍ଗଳ କଥା କହୁଥିବାବେଳେ ଓଡ଼ିଶାର ୬୦ ଲକ୍ଷ ଲୋକଙ୍କୁ ଏଥିରୁ ବଂଚିତ କରିଛନ୍ତି । ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଉଛି ।
ଜଣେ ଆଦିବାସୀ ଭଉଣୀ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ସେ ଓଡ଼ିଶାର ପବିତ୍ର ଭୂମିରୁ ଯାଇ ଦେଶର ସର୍ବୋଚ୍ଚ ପଦ ମଣ୍ଡନ କରିପାରିଛନ୍ତି । ଉଜ୍ଜଳା ଯୋଜନା ଯୋଗୁଁ ଗ୍ୟାସ ସିଲିଣ୍ଡର ଘରେ ପହଞ୍ଚୁଛି । ମହିଳାମାନଙ୍କୁ କାଠ ପାଇଁ ଜଙ୍ଗଲକୁ ଯିବାକୁ ପଡ଼ୁନାହିଁ । ମୋଦୀଜୀ ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ପରିବାରକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି । ଷ୍ଟାର୍ଟଅପ ଯୋଜନାରେ ଦେଶର ଷ୍ଟାର୍ଟଅପ ବାତାବରଣକୁ ସମୃଦ୍ଧ କରାଯାଉଛି । ଦେଶରେ ଏବେ ୧୦୦ଟି ୟୁନିକର୍ଣ୍ଣ ରହିଛି ।
ମୋଦୀ ଓଡିଶା ପାଇଁ ଅନେକ କିଛି କରିଛନ୍ତି । ମହାନଦୀ ବେସିନରେ ଗ୍ୟାସ ଓ ତେଲର ଅନୁସନ୍ଧାନ ଚାଲିଛି । ଆଦିବାସୀଙ୍କ ପାଇଁ ୮୭ ଏକଲବ୍ୟ ଆବାସିକ ସ୍କୁଲ ଖୋଲାଯାଇଛି । ୩୦୦ କୋଟି ବ୍ୟୟରେ ଭୁବନେଶ୍ବର ରେଳଷ୍ଟେସନର ବିକାଶ ଚାଲିଛି । ୩୩୨୩ କୋଟି ଜଳଜୀବନ ମିଶନରେ୍ ବ୍ୟୟ ହେଉଛି । ସମ୍ବଲପୁରରେ ୪୦୧ କୋଟି ବ୍ୟୟରେ ଆଇଆଇଏମ ଖୋଲାଯାଇଛି । ଓଡ଼ିଶାରେ ୯ ହଜାର କୋଟି ବ୍ୟୟରେ ୧୨୧୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଚାଲିଛି ବୋଲି କହିଛନ୍ତି ନଡ୍ଡା ।