ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨୯ ତାରିଖ ଯାଏ ବଢ଼ିବନି ତାତି

ଭୁବନେଶ୍ବର : ସାରା ରାଜ୍ୟରେ ଏବେ କାଳବୈଶାଖୀ ପ୍ରଭାବରେ ପାଗ ଥଣ୍ଡା ରହିଛି। ସୋମବାର ଦିନ କଟକ, ଯାଜପୁର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ବର୍ଷା ହେବା ସହ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି। ଏହାଛଡ଼ା ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହୋଇଥିଲା। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ। ଫଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ୫ ଦିନ ପରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଆଜି ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା‌, ବଲାଙ୍ଗୀର ଓ କଳାହାଣ୍ଡି ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ଅପରାହ୍ନ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବି ହେବ। ୨୬ ତାରିଖ ଆଡ଼କୁ ପବନର ବେଗ ଟିକେ କମିବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ସୋନପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ପବନର ବେଗ ୩୦ରୁ ୪୦ କିମି ମଧ୍ୟରେ ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେବ। ପୁଣି ୨୭ ତାରିଖ ଆଡ଼କୁ କାଳବୈଶାଖୀର ପ୍ରଭାବ ବଢ଼ିବ।

SBI_Festive_Digital Billboard