IPL-2023 : ଆଜି ଗୁଜରାଟ ବନାମ ମୁମ୍ବଇ ମୁକାବିଲା

ଅହମ୍ମଦାବାଦ : ଆଜି ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ ଖେଳାଯିବ। ଏଠାରେ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳ ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଗତବର୍ଷର ଚମ୍ପିଆନ୍‌ ହୋଇଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ସର୍ବାଧିକ ୫ ଥର ଆଇପିଏଲ୍‌ ଜିତିଛି। ତେଣୁ ଉଭୟ ଦଳ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସ କରିବେ। ପୁଣି ଉଭୟ ଗୁଜରାଟ ଓ ମୁମ୍ବଇ ଏହି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ର ଉପରକୁ ଚଢ଼ିବାର ପ୍ରୟାସ କରିବେ। ଗୁଜରାଟ ଟାଇଟାନ୍‌ସ ୬ଟି ମ୍ୟାଚ୍‌ରୁ ୪ଟି ଜିତି ୮ ପଏଣ୍ଟ ସହ ସୁବିଧାଜନକ ସ୍ଥିତିରେ ରହିଛି। ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ୨ଟି ମ୍ୟାଚ୍ ହାରିବା ପରେ କ୍ରମାଗତ ୩ଟି ମ୍ୟାଚ୍‌ ଜିତିଥିଲା। ହେଲେ ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଏହାକୁ ୧୩ ରନ୍‌ରେ ହରାଇ ବିଜୟଧାରା ଭାଙ୍ଗିଦେଇଛି। ତେଣୁ ବିଜୟଧାରକୁ ଫେରିବା ଲକ୍ଷ୍ୟରେ ମୁମ୍ବଇ ଖେଳିବ। ପ୍ରଥମ ରାଉଣ୍ଡରେ ଏହା ଉଭୟ ଦଳଙ୍କର ଅନ୍ତିମ ମ୍ୟାଚ୍‌ ହେବ।