ମହାକାଳପଡ଼ା, ୨୧/୦୮: ମହାକାଳପଡ଼ା ଆରଡ଼ି ଉପଖଣ୍ଡ ଅଧୀନ କଳାଗଡ଼ ଠାରୁ ମହାନଙ୍ଗଳା ଆରଡି ରାସ୍ତାର ଅବସ୍ଥା ଦିନକୁ ଦିନ ବେହାଲ ହୋଇ ପଡିଛି। ବହୁଦିନ ହେବ ଏହି ରାସ୍ତା ମରାମତି ହୋଇନଥିବାରୁ ହେଭି ଭେଇକିଲ ଯାତାୟାତ କରିବା ଦ୍ୱାରା ବିଭିନ୍ନ ସ୍ଥାନରେ ବଡ ବଡ ଖାଲଖମା ସୃଷ୍ଟି ହୋଇଛି। ଅଧିକ ଦୁର୍ଭାଗ୍ୟର କଥା, କିଛି ସ୍ଥାନରେ ନିୟମିତ ଭାବେ ମଇଁଷି ରାସ୍ତା କଡ଼ରେ ବନ୍ଧା ହେବାରୁ ପିଚୁ ଉଠି ଯାଉଛି। ଫଳରେ ଅମେଇପାଳ ଓ ଖୁରୁଷିଆ ପଞ୍ଚାୟତର ଶହ ଶହ ଲୋକଙ୍କ ଦୈନନ୍ଦିନ ଯାତାୟାତ ବ୍ୟାହତ ହେଉଛି। ବର୍ଷା ଦିନରେ ଖାଲରେ ପାଣି ଜମି ରହୁଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢିଛି।
ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କାନ ଦେଉ ନଥିବା ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀ, ରୋଗୀ ଓ ବ୍ୟବସାୟୀମାନେ ଏହି ରାସ୍ତା ଦେଇ ଯିବାବେଳେ ଚରମ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଏହି ରାସ୍ତାର ମରାମତି କରାଯାଇ ଲୋକଙ୍କ ଯାତାୟାତ ସୁବିଧା କରାଯାଉ ବୋଲି ଉଭୟ ପଞ୍ଚାୟତର ବାସିନ୍ଦା ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦାବି କରିଛନ୍ତି l