ଜମିବାଡ଼ି ସମସ୍ୟାକୁ ନେଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା,୩୦ /୮: କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଲାଂଜୁଡା ପଂଚାୟତ ଦୋଳିଗାଁ ରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମସ୍ଥ ପୁରୁଷୋତ୍ତମ ସ୍ୱାଇଁଙ୍କ ବାପ ଅଜା କାଳୁ ପ୍ଲଟ -୩୬୨ ସରକାରୀ ଜମିକୁ ଚାଷ କରିବା ସହିତ ଭୋଗ ଦଖଲ କରିଆସୁଛନ୍ତି l ଦୀର୍ଘ ଦିନ ଧରି ଚାଷ କରୁଥିବା ସରକାରୀ ଜମିରୁ ପୁରୁଷୋତ୍ତମଙ୍କୁ ଦଖଲ ଉଚ୍ଛେଦ କରି ସେମାନେ ହାତେଇବା ପାଇଁ କିଛି ଖଳ ଲୋକେ ପ୍ରୟାସ ଚଳାଇଛନ୍ତି l ଯାହା ନେଇ ରବିବାର ଦିନ ପୁରୁଷୋତ୍ତମ ଏବଂ ତାଙ୍କର ପତ୍ନୀ ବେଙ୍ଗଲତା ସମ୍ପୃକ୍ତ କ୍ଷେତରେ କାର୍ଯ୍ୟ କରୁଥିବା ବେଳେ ଖଳ ଲୋକେ ମିଳିତ ଭାବେ ଦମ୍ପତିଙ୍କ ନିକଟରେ ପହଂଚି ଧାନ ବେଉଷଣକୁ ବନ୍ଦ କରାଇଥିଲେ l ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ କଥାକୁ ଦମ୍ପତି ଏଡେଇ ଯାଇ ଧାନ କାମ କରିବାରୁ ସଭିଏଁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ l ସେମାନଙ୍କ ଆକ୍ରମଣ ଫଳରେ ପୁରୁଷୋତ୍ତମ ତଳେ ପଡିଯାଇଥିଲେ l ପାଟିତୁଣ୍ଡ ଶୁଣି ବୁଢ଼ୀ ମା’ ଧାନ କ୍ଷେତରେ ପହଂଚି ପୁଅକୁ ଉଠାଇଥିଲେ l

କିନ୍ତୁ ଦୁଃଖର କଥା ମନ୍ଦ ଉଦ୍ଦେଶ୍ୟର ଲୋକେ ଶାଶୁ, ବୋହୁକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ l ଏପରିକି ପୁଅ ଘଟଣା ସ୍ଥଳରେ ପହଂଚି ବାରୁ ପୁଅକୁ ମଧ୍ୟ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି l ଉଭୟ ବାପା ଓ ପୁଅ ଆକ୍ରମଣର ଶିକାର ହେବାରୁ ସୋମବାର ଦିନ ସକାଳେ ହତୋତ୍ସାହିତ ହୋଇ ପୁରୁଷୋତ୍ତମ ବିଷପାନ କରି ଆତ୍ମ ହତ୍ୟା ଉଦ୍ୟମ କରିଥିଲେ l ପଡୋଶୀ ତାଙ୍କୁ ଏଥିରୁ ନିବୃତ କରାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ କେନ୍ଦ୍ରାପଡା ରେଫର କରିଛନ୍ତି l ଏପଟେ ପଟ୍ଟାମୁଣ୍ଡାଇ ଶ୍ରୀରାମପୁରର ବନମାଳୀ କୁଣ୍ଡୁ ଓ ଦୋଳିଗାଁର ଚୈତନ୍ୟ ତରାଇ, ସୂର୍ଯ୍ୟମଣୀ ସ୍ୱାଇଁ(ୱାର୍ଡ ସଭ୍ୟ ),ସୁଦର୍ଶନ ଲେଙ୍କା, କୈଳାସ ସ୍ୱାଇଁ ଆଦି ଆକ୍ରମଣ କାରୀଙ୍କ ନାମେ ପୁଅ ହୃଷିକେଶ ସ୍ୱାଇଁ ସୋମବାର ଦିନ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି l ୱାର୍ଡ ସଭ୍ୟ ଜଣେ ଜନ ପ୍ରତିନିଧି ହୋଇ ଅନ୍ୟକୁ ବିରୋଧ କରିବା ପରିବର୍ତ୍ତେ ଖଳ ଲୋକଙ୍କ ସହିତ ମିଶି ଅନ୍ୟାୟକୁ ପ୍ରଶୟ ଦେବା ଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା ହେଉଛି l