ଭୁବନେଶ୍ବର,୩୦/୮ : ଛଅ ମାସରେ ୩୦ ଏଟିଏମ୍ରୁ ୮କୋଟି ଲୁଟ ହୋଇଥିଲା। ୪୮ ଘଣ୍ଟାରେ ୧୧ଟି ଏଟିଏମ୍ ଟାର୍ଗେଟ କରିଥିଲେ ଲୁଟେରା। ଏଟିଏମ ଲୁଟରେ ସେମାନେ ବ୍ୟବହୃତ ସ୍ବତନ୍ତ୍ର ଡିଭାଇସ ବ୍ୟବହାର କରୁଥିଲେ, ଯାହା ଆଜି କମିଶନରେଟ ପୁଲିସ ଆଗରେ ଲୁଟେରାମାନେ ଡେମୋ ଦେଖାଇଥିଲେ। ସେମାନେ କଟକ, ଭୁବନେଶ୍ବର ଓ ପୁରୀରେ ଲୁଟ କରୁଥିଲେ। ବିଶେଷ କରି ଏସ୍ବିଆଇ ଏଟିଏମରୁ ଏମାନେ ଲୁଟ କରିବାରେ ସଫଳ ହୋଇଥିଲେ। ପୁଲିସ ହାତରେ ଧରାପଡ଼ିଥିବା ହରିୟାଣାର ନୌଉ ଗାଁର ସଲମାନ କେମିତି ଏଟିଏମ ଲୁଟ କରୁଥିଲା ଆଜି ତା’ର ଡେମୋ ଦେଖାଇଥିଲା। ପୁଲିସ ସହାୟତାରେ ସୈନିକ ସ୍କୁଲ ପାଖରେ ଥିବା ଏସବିଆଇ ଏଟିଏମ ଭିତରେ ଡେମୋ ଦେଖାଇଲା ଏଟିଏମ ଲୁଟେରା ଅଭିଯୁକ୍ତ। ଲୁଟେରାମାନେ କିଭଳି କୌଶଳ ଅବଲମ୍ବନ କରି ଏଟିଏମ୍ରୁ ଟଙ୍କା ଲୁଟ କରୁଥିଲେ ତାକୁ ନେଇ ପୁରା ଡେମୋ ଦେଖାଇଥିଲେ ଗିରଫ ହୋଇଥିବା ଅଭିଯୁକ୍ତ।
ଭୁବନେଶ୍ବର ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ। ଲୁଟେରାଙ୍କ ଠାରୁ କାର ଓ ଟଙ୍କା ଜବତ ହୋଇଥିଲା। ଜବତ ହୋଇଥିବା ଦାମି କାରରେ ବୁଲି ବୁଲି ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ ଏହି ଲୁଟେରାମାନେ । ଏଟିଏମ୍ରୁ ଟଙ୍କା ଲୁଟ୍ର ନୂଆ ତରିକା ଆପଣାଇଥିଲେ ଏହି ଲୁଟେରାମାନେ। ଏକ ସ୍ୱତନ୍ତ୍ର ଡିଭାଇସ୍ ଲଗାଇ ଏଟିଏମରୁ ଲୁଟି ନେଉଥିଲେ ଟଙ୍କା । ଏହି ୩ ଅଭିଯୁକ୍ତ ଆଜି ରାଜଧାନୀ ଭୁବନେଶ୍ୱରରେ ଏଟିଏମ ଲୁଟ୍ର ଡେମୋ ଦେଖାଇଥିଲେ। ଲୁଟେରାମାନେଙ୍କ କହିବା ଅନୁଯାୟୀ ଏହି ନୂଆ ତରିକାରେ ଏଟିଏମ ଲୁଟ ପାଇଁ ଡିଭାଇସ ଲଗାଇବାକୁ ମାତ୍ର ୨ରୁ ୩ ମିନିଟ୍ ଲାଗୁଥିଲା। ଏହି ଡିଭାଇସ ଲଗାଇବା ପରେ ଏଟିଏମ୍ରୁ ଟଙ୍କା ଉଠାଇଲେ ଆଉ ଟଙ୍କା ବାହାରୁ ନଥିଲା। ଗ୍ରାହକ ଜଣକ ପଳାଇବା ପରେ ସେହି ଟଙ୍କା ଏମାନେ ଡିଭାଇସ ଜରିଆରେ ବାହାର କରି ନେଇଯାଉଥିଲେ। କଟକ, ପୁରୀ ଓ ଭୁବନେଶ୍ୱର ଏଟିଏମ୍ଗୁଡ଼ିକୁ ଏହି ଲୁଟେରାମାନେ ଟାର୍ଗେଟ କରୁଥିଲେ।
ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ଥିବା ଏକ ଏଟିଏମ୍ରେ ଡିଭାଇସ ଲଗାଇ ଲୁଟିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ । ଏହାପରେ ନୂଆ ତରିକାରେ ପାତ ଲଗାଇ ଏଟିଏମ ଲୁଟ ଘଟଣାର ଏପରି ଘଟଣାର ପର୍ଦ୍ଦାଫାସ ହୋଇଛି। ସେମାନେ ଏପରି ଲୁଟ୍ର ପର୍ଦ୍ଦାଫାସ କରିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି, ଯାହା ଏବେ କମିଶନରେଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏପରି କରି ଗତ ୬ ମାସ ଭିତରେ ଏମାନେ ପ୍ରାୟ ୮ କୋଟି ଟଙ୍କା ଏଟିଏମ୍ରୁ ଲୁଟି ନେଇ ସାରିଥିଲେ। ଏମାନଙ୍କ ନିକଟରୁ ପ୍ରାୟ ଲକ୍ଷେ ଟଙ୍କା ଓ ଗୋଟିଏ ଦାମୀ କାର ପୁଲିସ ଜବତ କରିଛି। ଗିରଫ ୩ ଏଟିଏମ ଲୁଟେରାଙ୍କ ଘର ଫରିଦାବାଦରେ। ସେମାନେ କେବଳ ଓଡ଼ିଶାରେ ନୁହେଁ, ବରଂ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଏଟିଏମ୍ ଲୁଟ କରୁଥିବା ସୂଚନା ମିଳିଛି। ପୁଲିସ ଏହି ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି।