ଭୁବନେଶ୍ୱର,୩୦/୭: ବିଶ୍ୱ ଓଆରଏସ୍ ଦିବସ ଅବସରରେ ଆଇଏପି ଖୋର୍ଦ୍ଧା ଶାଖା ଏବଂ କିମ୍ସ ଶିଶୁ ରୋଗ ବିଭାଗ ମିଳିତ ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା ୱାକାଥନ୍ ଆୟୋଜିତ ହୋଇଯାଇଛି। କିମ୍ସ ମୁଖ୍ୟ ଫାଟକରୁ ଏହି ୱାକାଥନ୍ ବାହାରି ହୋଇ ଶିଖରଚଣ୍ଡୀ ଛକ ପର୍ଯ୍ୟନ୍ତ ଯାଇଥିଲା। ସାଧାରଣ ଭାବେ ଓ ଉପଲବ୍ଧ ଉପାୟରେ ଓଆର୍ଏସ୍ ମାଧ୍ୟମରେ କିପରି ଜଳଶୂନ୍ୟତା ଓ ଜୀବନର ଜଟିଳତାକୁ ରୋକାଯାଇପାରିବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ କିମ୍ସ ଶିଶୁ ରୋଗ ବିଭାଗ ମୁଖ୍ୟ ପ୍ରଫେସର ସେବାରଞ୍ଜନ ବିଶ୍ୱାଳ ଓଆର୍ଏସର ଜୀବନ ରକ୍ଷାକାରୀ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଝାଡ଼ା, ବାନ୍ତି, ହଇଜା, ଭାଇରାଲ୍ ଜ୍ୱର, କୋଭିଡ୍ ଓ ଅଂଶୁଘାତ ସମୟରେ ଶରୀରରେ ଜଳଶୂନ୍ୟତା ଦେଖାଦେଲେ ଓଆର୍ଏସ୍ ବ୍ୟବହାର କିପରି ଜୀବନ ରକ୍ଷା କରେ ସେ ସମ୍ପର୍କରେ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିର୍ମଳ କୁମାର ମହାକୁଡ଼ କହିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର, ପୋଷ୍ଟଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଓ ହେଲ୍ଥ କେୟାର କର୍ମଚାରୀ ଭାଗ ନେଇ “ଏସ୍ଆଇପି ସ୍ମାର୍ଟ, ଷ୍ଟେ ଷ୍ଟ୍ରଂ, ସେ ୟେସ୍ ଟୁ ଓଆର୍ଏସ୍” ସ୍ଲୋଗାନ ଦେଇ ଜନସାଧରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଓଆର୍ଏସ୍: ଏ ସିମ୍ପଲ୍ ସଲ୍ୟୁସନ୍ ଫର୍ ଏ ହେଲ୍ଦିଅର ଫ୍ୟୁଚର୍’। ଅନ୍ୟ ପକ୍ଷରେ କିସ୍ ୱେଲ୍ନେସ୍ ସେଣ୍ଟର ପକ୍ଷରୁ ମଧ୍ୟ ଓଆର୍ଏସ୍ ଦିବସ ପାଳନ କରାଯାଇଥିଲା। ଏଥିରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, ୱେଲ୍ନେସ୍ ସେଣ୍ଟରର ଅଧ୍ୟକ୍ଷା ଓ କିମ୍ସ ଶିଶୁରୋଗ ବିଭାଗ ପ୍ରଫେସର ସ୍ୱର୍ଣ୍ଣଲତା ଦାସ ପ୍ରମୁଖ ଯୋଗଦେଇ ଓଆର୍ଏସ୍ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
