ଭୁବନେଶ୍ୱର, ୧୩/୦୫ : ବେଆଇନ ଭାବେ ମଦ ଓ ଗୁଡ ପୋଚ ଜବତ କରିବା ସହ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ଓ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇଛି । ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠିତ ହୋଇଥିଲା । ଯାହା ଫଳରେ ସିମୁଳିଆ ଥାନା ଅନ୍ତର୍ଗତ କୁଅଁରପୁର, ଅଲିହା ଓ ଖଇରା ଥାନା ଅନ୍ତର୍ଗତ ଡୁଙ୍ଗୁରା ଏବଂ ସୋର ଥାନା ଅନ୍ତର୍ଗତ ମାଣିପୁର, ନୁଆସାହି, ବନ୍ଧସାହି ଓ ବାଉଁଶପାଳ ଗାଁରେ ଚଢ଼ାଉ କରାଯାଇଥିଲା । ୯୬୦ ଲିଟର ଦେଶୀ ରନ୍ଧା ମଦ ଓ ୪୬୦୦ ଲିଟର ଗୁଡ଼ ପୋଚ ଜବତ କରାଯାଇଛି । କୁଅଁରପୁର ଗାଁର ଅଶୋକ କୁମାର ଶିଅଳ, ଅଲିହା ଗ୍ରାମର ମୁକୁନ୍ଦ ବେହେରା ଓ ରାମଚନ୍ଦ୍ର ପାଢ଼ୀ, ଡୁଙ୍ଗୁରା ଗାଁର ଶ୍ରୀମତୀ ସିଂ, ନୁଆସାହି ଗାଁର ଯୋଗେନ୍ଦ୍ର ନାୟକ ଓ ମାଣିପୁର ଗାଁର ବିକର୍ତ୍ତନ ମାସନ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦ ଓ ଗୁଡ଼ ପୋଚର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ, କନେଷ୍ଟବଳ ଦେବାଶିଷ ମଲ୍ଲିକ, ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ଓ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ପୃଥକ ଭାବେ ୮ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।