ରକ୍ଷାବନ୍ଧନ ଦିନ ଚନ୍ଦ୍ରଗ୍ରହଣ । ଚଳିତବର୍ଷ ରକ୍ଷାବନ୍ଧନକୁ ନେଇ ଏକ ବିଶେଷ ସଂଯୋଗ ଦେଖିବାକୁ ମିଳିବ । ଅଗଷ୍ଟ ୨୮ ଶୁକ୍ରବାର ରକ୍ଷାବନ୍ଧନ ଦିନ ୨୦୨୬ର ଶେଷ ଚନ୍ଦ୍ରଗ୍ରହଣ ହେବ। ଏହା ଏକ ଗଭୀର ଆଂଶିକ ଚନ୍ଦ୍ରଗ୍ରହଣ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଏହି ଗ୍ରହଣ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଭାରତୀୟ ସମୟ ଅନୁସାରେ ଆଂଶିକ ଗ୍ରହଣ ପ୍ରାୟ ସକାଳ ୮ଟା ୦୪ରୁ ୧୧ଟା ୨୨ ପର୍ଯ୍ୟନ୍ତ ରହିବ ଏବଂ ପ୍ରାୟ ସକାଳ ୯ଟା ୪୩-୪୪ରେ ଏହା ସର୍ବାଧିକ ସ୍ଥିତିରେ ପହଞ୍ଚିବ । ସେତେବେଳେ ଭାରତରେ ଦିନ ଥିବା ସହ ଚନ୍ଦ୍ର ଦିଗନ୍ତ ତଳେ ରହିବ । ତେଣୁ ଦେଶର କୌଣସି ସ୍ଥାନରୁ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ପ୍ରଚଳିତ ପଞ୍ଜିକା ମତ ଅନୁସାରେ ଯେଉଁ ଅଞ୍ଚଳରେ ଗ୍ରହଣ ଦୃଶ୍ୟମାନ ହୁଏ ନାହିଁ, ସେଠାରେ ଗ୍ରହଣର ସୂତକ କାଳ ପାଳନ କରାଯାଏ ନାହିଁ । ଏହି କାରଣରୁ ଭାରତରେ ରକ୍ଷାବନ୍ଧନ ପାଳନ ଉପରେ ଚନ୍ଦ୍ରଗ୍ରହଣର କୌଣସି ବାଧା ରହିବ ନାହିଁ ବୋଲି ପଞ୍ଜିକା ସୂତ୍ର ଗୁଡ଼ିକ କହୁଛନ୍ତି।
୨୦୨୬ରେ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ସକାଳ ପ୍ରାୟ ୯ଟା ୦୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୮ ପର୍ଯ୍ୟନ୍ତ ରହିବ। ଦିଲ୍ଲୀ ପାଇଁ Drik Panchang ଅନୁସାରେ ରାଖୀ ବାନ୍ଧିବା ସମୟ ସକାଳ ୫ଟା ୫୭ରୁ ୯ଟା ୪୮ ଏବଂ ଭଦ୍ରା ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ହୋଇଯିବ। ସ୍ଥାନ ଅନୁସାରେ ସୂର୍ଯ୍ୟୋଦୟ ଓ ମୁହୂର୍ତ୍ତରେ କିଛି ମିନିଟ୍ ର ପାର୍ଥକ୍ୟ ହୋଇପାରେ । ଅର୍ଥାତ୍, ରକ୍ଷାବନ୍ଧନ ଓ ଚନ୍ଦ୍ରଗ୍ରହଣ ଗୋଟିଏ ଦିନରେ ପଡ଼ୁଥିଲେ ମଧ୍ୟ ଭାରତରେ ଗ୍ରହଣ ଦେଖାଯିବ ନାହିଁ। ତେଣୁ ଗ୍ରହଣକୁ ନେଇ ଭୟ କିମ୍ବା ରାଖୀ ବାନ୍ଧିବା ସମୟକୁ ନେଇ ଦ୍ୱନ୍ଦ୍ୱର ଆବଶ୍ୟକତା ନାହିଁ ।