ଭୁବନେଶ୍ବର, ୧୭/୦୮ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ଅବପାତର ରୂପ ନେଇ ପାରେ। ଉତ୍ତର ଓଡ଼ିଶା ପାଇଁ ବଡ଼ ବର୍ଷା ବିପଦ ରହିଛି। ଗତକାଲି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା। ଆଜି ମଧ୍ୟ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରାହିଛି। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲେ ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ। ଏହି ୪ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ। ଏହା ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଡ଼ ବର୍ଷା ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଅନୁଗୁଳ ସମେତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏସବୁ ଅଞ୍ଚଳ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ପୂର୍ବରୁ ପ୍ରଭାବିତ ଉତ୍ତର ଓଡ଼ିଶାର ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ବିଗିଡ଼ିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ସ୍ଥିତି ସଂଗୀନ ହୋଇପାରେ। ଉପକୂଳରେ ମଧ୍ୟ ପାଗ ଅଶାନ୍ତ ରହିବ। ଓଡ଼ିଶା ଉପକୂଳ ଓ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ୧୮ ଅଗଷ୍ଟ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।