ଟୋଲ୍‌ ପ୍ଲାଜାରେ ଟ୍ୟାଙ୍କର ବିସ୍ଫୋରଣ, ୪ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ର‌ଦେଶର କୌଶମ୍ବି ଜିଲ୍ଲାରେ ଏକ ଟୋଲ୍‌ ପ୍ଲାଜା ନିକଟରେ ଏଲ୍‌ପିଜି ଟ୍ୟାଙ୍କରରେ ନିଆଁ ଲାଗିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। କୋଖରାଜ୍‌ ଥାନା ଅଧୀନସ୍ଥ ସିହୋରି ‌ଟୋଲ୍‌ ପ୍ଲାଜା ନିକଟରେ ଜୁନ୍‌ ୨୬ ତାରିଖ ସକାଳେ ଏହି ଘଟଣା ଘଟିଥିଲା।

କାନପୁରରୁ ବାରଣାସୀକୁ ଯାଉଥିବା ଏକ ଏଲ୍‌ପିଜି ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଏକ ଡିଭାଇଡର୍‌ ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣା ଫଳରେ ଗ୍ୟାସ୍‌ ଲିକ୍‌ ହୋଇ ପ‌ରେ ନିଆଁ ଲାଗି ଯାଇଥିଲା। ସମଗ୍ର ଅଞ୍ଚଳ ଜଳି ଉଠିତିଲା। ଟ୍ୟାଙ୍କର ଡ୍ରାଇଭର୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା। ତାଙ୍କ ନାଁ ଧର୍ମେନ୍ଦ୍ର ଦ୍ବିବେଦୀ ଏବଂ ସେ ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲା ବାସିନ୍ଦା। ସେ ଗାଡ଼ିର କ୍ୟାବିନ୍‌ରେ ଫସିଯାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଏହି ଘଟଣାରେ ୫ ଜଣ ଟୋଲ୍‌ ପ୍ଲାଜା କର୍ମଚାରୀ ଅତି ସାଂଘାତିକ ଭାବେ ଜଳି ଯାଇଥିଲେ। ସେମାନଙ୍କୁ ସ୍ବରୂପ ରାଣୀ ନେହରୁ (ଏସ୍‌ଆରଏନ) ହସ୍ପିଟାଲ୍‌ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆହତ ଆଲୋକ ସିଂହଙ୍କର ପରଦିନ ମୃତ୍ୟୁ ହୋଇଗଲା। ଗୁରୁବାର ଅନ୍ୟ ୨ ଆହତ ତଥା ରାଏବରେଲିର ହୀରାମଣି ସିଂହ ଏବଂ ଲଳିତପୁର ବାସିନ୍ଦା କ୍ରୀଷ୍ଣପାଲ୍‌ ମୌର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଲା। ଆହତ ହୋଇଥିବା ଅନ୍ୟ ୨ ଟୋଲ୍‌ ପ୍ଲାଜା କର୍ମଚାରୀ ଏବେ ଚିକିତ୍ସାଧୀନ ଅଛନ୍ତି।