ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର

ପାଟନା : ଚଳିତ ଜୁଲାଇ ୩୦ ତାରିଖରେ ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ଜନସୁରାଜ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି। ଜନ ସୁରାଜ ପାର୍ଟିର ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ଏହି ଆସନରୁ ନିଜେ ନିର୍ବାଚନ ଲଢ଼ିବେ ବୋଲି ରବିବାର ଘୋଷଣା କରିଛନ୍ତି।

ଆଜି ପାର୍ଟିର କୋର୍‌ କମିଟି ବୈଠକରେ ପ୍ରଶାନ୍ତ କିଶୋରଙ୍କ ନାଁରେ ମୋହର ବାଜିଛି। ଜନ୍‌ ସୁରାଜ ପାର୍ଟିର ରାଜ୍ୟ ସଭାପତି ମନୋଜ ଭାରତୀ ବୈଠକ ପରେ ଦଳର ନିଷ୍ପତ୍ତି ଘୋଷଣା କରିଛନ୍ତି। ଉପନିର୍ବାଚନ ଜୁଲାଇ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ ୩ ତାରିଖରେ ଭୋଟ ଗଣତି ହେବ। ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ଜୁଲାଇ ୧୩ ତାରିଖ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବାଙ୍କିପୁର ଆସନ ଖାଲି ପଡ଼ିଥିଲା। ବିଜେପି ଏହି ଆସନରୁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ଅଜୟ ଆଲୋକ, ନିଲ୍‌ ରତନ ଘୋଷ ଓ ଅଜିତ କୁମାର ଲାଲିଙ୍କ ମଧ୍ୟରୁ ବିଜେପି ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଶୁଣାଯାଉଛି। ଜନତା ଜନଶକ୍ତି ଦଳ (ଜେଜେଡି) ମୁଖ୍ୟ ତେଜ ପ୍ରତାପ ଯାଦବ ସାମାଜିକ କର୍ମକର୍ତ୍ତା ବୀଣା ମାନଭୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ପ୍ରଶାନ୍ତ ଲଗାତାର ବାଙ୍କିପୁରରେ ନିର୍ବାଚନ‌ ପ୍ରଚାର କରୁଛନ୍ତି ଓ ଏନ୍‌ଡିଏ (ବିଜେପି)କୁ ହରାଇବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଋଷି ମିଶ୍ରାଙ୍କୁ ସମସ୍ତ ବିରୋଧୀ ଦଳ ଏକାଠି ପ୍ରଶାନ୍ତଙ୍କୁ ସମର୍ଥନ କରିବେ ବୋଲି କହି ବାଙ୍କିପୁରର ରାଜନୈତିକ ମହଲକୁ ଅଧିକ ସରଗରମ କରିଦେଇଛନ୍ତି। ପ୍ରଶାନ୍ତ ନର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ନେଇ ବିଜେପି ପ୍ରବକ୍ତା କୁନ୍ତଳ କୃଷ୍ଣ କହିଛନ୍ତି, ତାଙ୍କୁ ନିଜ ଶକ୍ତି ଜଣାପଡ଼ିଯିବ। ପ୍ରଶାନ୍ତଙ୍କ ଉପସ୍ଥିତି ବାଙ୍କିପୁର ଉପନିର୍ବାଚନକୁ ରୋଚକ କରିଦେଇଛି।