ଭୁବନେଶ୍ୱର,୮/୭ : ଟୋକିଓ ଅଲିମ୍ପିକ୍ପରେ ଭାଗ ନେଉଥିବା ଓଡ଼ିଶାର ଅଲିମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲିମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲିମ୍ପିୟାନ ଦୁତୀ ଚାନ୍ଦ, ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡ଼ିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛ । ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ। କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଏହି ଅବସରରେ ଅଲିମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ । ଟୋକିଓ ଅଲିମ୍ପିକସରେ ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ସହିତ ଅଲିମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।
ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲିମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । କ୍ରୀଡା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।