ଭୁବନେଶ୍ୱର, ୧୫/୧୦ : ଧରାପୃଷ୍ଠରେ ଅବତରଣ କରିବେ ଜଗଦଜନନୀ ମାଆ ଦୁର୍ଗା । ଆଜି ପବିତ୍ର ମହାପଞ୍ଚମୀ ପୂଜା । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତ ବର୍ଷ ର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ । ଏହି ନବରାତ୍ର ଅବସର ରେ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନେ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଆଜି ମାଙ୍କ ପୀଠରେ ମହାପଞ୍ଚମୀ ଅବସରରେ ମହାସ୍ନାନ ସହ ସୁନାବେଶ ଅନୁଷ୍ଠିତ ହେବାସହ ରାତ୍ରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦ ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି । ଅପରାହ୍ନ ରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିର ପ୍ରଶାସନ ପକ୍ଷ ରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।