ଆଜି ନୀଳାଚଳରେ ଅବଢ଼ା

ପୁରୀ : ଆଜଜି ନୀଳାଚଳ ଅବଢ଼ା ଉପଲବ୍ଧ ହେବାକୁ ଯାଉଛି। ୧୩ ଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡ଼ିବା ପରେ ଆଜିଠାରୁ ଶ୍ରୀମନ୍ଦିର ମହାପ୍ରସାଦ ମିଳିବାକୁ ଯାଉଛି। ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ। କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୁଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ। ଶୁକ୍ରବାର ନୀଳaଦ୍ରି ବିଜେ ପରେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ଅବଢ଼ା ପାଇବାର ସୁଯୋଗ ପାଇବେ। ଏଥିପାଇଁ ରୋଷଘର ବି ପ୍ରସ୍ତୁତ ହୋଇଛି।

ଯେହେତୁ ଏତେଦିନ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ହେଉଛି, ଏହି ଦୃଷ୍ଟିରୁ ଆଜି ସଅଳ ନୀଳାଚଳ ଅବଢ଼ା ବାହାରିବ ବୋଲି ଅନୁମାନ କରାଯାଉଛି। ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ନିରାଶ ହୋଇ ଫେରିଥାନ୍ତି। ନୀଳାଚଳ ଅବଢ଼ାର ମହାତ୍ମ୍ୟ ଅଲଗା। ଯେହେତୁ ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେହି ଦୃଷ୍ଟିରୁ ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ। ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହନ୍ତି।