ଭୁବନେଶ୍ୱର,୨୦/୧ : ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨କୁ ଦୁଇମାସ ପୂରିବା ଆଗରୁ ରାଜ୍ୟ ସରକାର ୯ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ)ର ୩୦ତମ ବୈଠକରେ ମୋଟ୍ ୧,୫୩, ୦୭୪.୬୩ କୋଟି ଟଙ୍କାର ୯ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହାଦ୍ବାରା ରାଜ୍ୟରେ ୨୭ ହଜାର ୩୦ କର୍ମନିଯୁକ୍ତି ସୃଷ୍ଟି ହେବ। ଏହି ୯ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ଆସିଥିଲା।
ସୂଚନା ଅନୁସାରେ, ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ ବାସ୍ତବ ରୂପ ଦେବାକୁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ସବୁଜ ଶକ୍ତି, ମେଟାଲ୍ସ, ଖଣିଜ, ପେପର ଏବଂ ଆଇଟି ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଏବଂ ମୟୂରଭଞ୍ଜ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ। ସବୁଜ ଶକ୍ତି ଏବଂ ଇକ୍ବିପମେଣ୍ଟ କ୍ଷେତ୍ରରେ ୪ ପ୍ରକଳ୍ପ, ପେପର ଶିଳ୍ପରେ ୨, ମେଟାଲ ଏବଂ ମିନେରାଲ କ୍ଷେତ୍ରର ୨ଟି ଏବଂ ଆଇଟି ଭିତ୍ତିଭୂମି କ୍ଷେତ୍ରର ଗୋଟିଏ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏସିଏମଇ କ୍ଲିନ୍ ଏନର୍ଜୀ ପ୍ରା.ଲିଃର ୫୮,୨୦୯.୧୩ କୋଟି ଟଙ୍କାର ପ୍ରସ୍ତାବ ଏଚଏଲସିଏ ଅନୁମୋଦନ ଲାଭ କରିଛି।
ଜଗତସିଂହପୁର କୁଜଙ୍ଗଠାରେ ୧.୧ ମିଲିଅନ ଏମଟି କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ଏବଂ ଏକ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ସହ କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ଏହାଦ୍ବାରା ରାଜ୍ୟରେ ପ୍ରାୟ ୩୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଗଞ୍ଜାମ ଜିଲାରେ ଅଭାଡା ଗ୍ରୀନ୍ ଏଚ୨ ପ୍ରା.ଲିଃର ୨୩,୫୦୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହା ପ୍ରାୟ ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଅନ୍ୟପକ୍ଷରେ ପାରାଦ୍ବୀପରେ ୧.୦୯ ମିଲିଅନ୍ ଏମଟି କ୍ଷମତା ସମ୍ପନ୍ନ ଏକ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ କରିବ ଆରଇଏଫପିଏଲ। ଏଥିରେ ୨୦ ହଜାର କୋଟି ନିବେଶ ହେବ ଏବଂ ୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଗଞ୍ଜାମ ଗୋପାଳପୁରଠାରେ ଓକିଓର ଏନର୍ଜୀ ୧ ମିଲିୟନ ଏମଟି କ୍ଷମତା ସମ୍ପନ୍ନ ଗ୍ରୀନ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୭ ହଜାର ୨୦୦ କୋଟି ପୁଞ୍ଜିନିବେଶ ହେବା ସହ ୧୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରେମୁଣାରେ ୨୫୦୦ କୋଟି ବିନିଯୋଗରେ ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ନିଜର ୟୁନିଟ୍ ସ୍ଥାପନ କରିବ। ଏଥିରେ ୮୨୫ ଜଣ ନିଯୁକ୍ତି ପାଇବେ। ସେହିପରି ଢେଙ୍କାନାଳରେ ୧୦୦୦ କୋଟି ବିନିଯୋଗରେ ଦିବ୍ୟଶକ୍ତି ଇଣ୍ଡିଆ ଦ୍ବାରା ଗ୍ରୀନ୍ ଫିଲ୍ଡ ଇଣ୍ଟିଗ୍ରେଟେଡ୍ ପଲ୍ପ ଆଣ୍ଡ ପେପର ମିଲ୍ ପ୍ରତିଷ୍ଠା କରାଯିବ। ଏଥିରେ ୩୦୦୦ କର୍ମନିଯୁକ୍ତି ସୃଷ୍ଟି ହେବ।
ଏହାବ୍ୟତୀତ ପାରାଦ୍ବୀପରେ ୩୮ ହଜାର କୋଟି ବିନିଯୋଗରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ୭ ଏମଟିପିଏ କ୍ଷମତା ବିଶିଷ୍ଟ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରିବ। ଏହାଦ୍ବାରା ୧୧,୪୯୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ସମନ୍ବିତ ଇସ୍ପାତ କାରଖାନାର ସମ୍ପ୍ରସାରଣ କରିବ ରୁଙ୍ଗଟା ମେଟାଲ୍ସ। ୦.୫ ଏମଟିପିଏରୁ ୧ ଏମଟିପିଏକୁ ଏହା ସମ୍ପ୍ରସାରିତ ହେବ। ଏଥିରେ ୧,୧୪୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ବାରା ୧୦୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଭୁବନେଶ୍ବରରେ ଅତ୍ୟାଧୁନିକ ସୁବିଧା ସହ ଆଇଟି ଭିତ୍ତିଭୂମି ଲାଗି ମାଇଁ ହୋମ୍ କନଷ୍ଟ୍ରକ୍ସନସ ୧୫୨୫.୫୦ କୋଟି ଟଙ୍କା ନିବେଶ କରିବ। ଏହା ଦ୍ବାରା ୨୫୦୦ଜଣଙ୍କୁ ନିଯୁକ୍ତି ମିଳିପାରିବ।