ଭୁବନେଶ୍ୱର,୨୦/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ପାଇଁ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି । ଆଜି ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଏମଏମଟି)ରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତବର୍ଷ ୧୦ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଦେଶରେ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାରେ ୧୨୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଜୁନିଅର ଇଞ୍ଜିନିୟର, ଇନ୍ସପେକ୍ଟର, ଜୁନିଅର ଆସିଷ୍ଟାଣ୍ଟ, ନର୍ସିଂ ଅଫିସର ଭଳି ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଛି।
