ନାବାଳିକାଙ୍କୁ ଅପହରଣ ଦୁଷ୍କର୍ମ ମାମଲା, ଯୁବକଙ୍କୁ ୨୦ ବର୍ଷ ଜେଲ୍

ଭୁବନେଶ୍ୱର, ୦୧/୧୧ : ଜନୈକା ନାବାଳିକାଙ୍କୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିବା ମାମଲାରେ ଜଣେ ଯୁବକଙ୍କୁ ସଶ୍ରମ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଦୋଷୀ ବିଶ୍ୱଜିତ ଦାସଙ୍କୁ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟ ଆଉ ଏକ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଅନ୍ୟପକ୍ଷରେ ମାମଲାର ଅନ୍ୟ ଅଭିଯୁକ୍ତ ସୁପ୍ରଭା ଦାସଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।କୋର୍ଟଙ୍କ ରାୟ ଅନୁଯାୟୀ, ଦୋଷୀ ବିଶ୍ୱଜିତଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୬୩ ଅନୁଯାୟୀ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ହୋଇଛି। ଧାରା ୩୭୬(୨)(ଏନ୍‌) ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ମାମଲାର ବିବରଣୀ ଅନୁଯାୟୀ, ୨୦୨୨ ମସିହାରେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ବିଶ୍ୱଜିତ ଦାସ। ଏଥିରେ ନାବାଳିକା ରାଜି ନ ହେବାରୁ ତାଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହାୟତାରେ ବିଭିନ୍ନ ହୋଟେଲ୍ ଓ ବାର୍‌କୁ ନିଆଯାଉଥିବା ଅଭିଯୋଗ ହୋଇଥିଲା।

ସେଠାରେ ତାଙ୍କୁ ମଦ ପିଇବାକୁ ଦିଆଯାଉଥିବା ଏବଂ ବିଶ୍ୱଜିତ ଦାସ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଥିଲା।ନାବାଳିକା ଭୟରେ ଏ ସମ୍ପର୍କରେ କାହାକୁ କିଛି କହିନଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବିଶ୍ୱଜିତ ନିଜ ଘରକୁ ନେଇଯାଇଥିବା ଏବଂ ପ୍ରାୟ ଏକ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭଳି ରହିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଘରୁ ବାହାରି ନିଜ ମା’ଙ୍କ ପାଖକୁ ଯାଇଥିଲେ। ମା’ଙ୍କୁ ସମସ୍ତ ଘଟଣା ଜଣାଇବା ପରେ ଏପ୍ରିଲ ୧୧ ତାରିଖରେ କଟକ ମହିଳା ଥାନାରେ ଏତଲା ଦାଏର ହୋଇଥିଲା।ଏହି ମାମଲାରେ ବିଶ୍ୱଜିତଙ୍କ ବିରୋଧରେ ଆଇପିସିର ଧାରା ୩୬୩, ୩୭୬(୨)(ଏନ୍‌) ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଅଭିଯୋଗ ହୋଇଥିଲା।

ଅନ୍ୟ ଅଭିଯୁକ୍ତ ସୁପ୍ରଭା ଦାସଙ୍କ ବିରୋଧରେ ଆଇପିସିର ଧାରା ୩୨୩ ଓ ୫୦୬ ସହ ପୋକ୍ସୋ ଆଇନର ଧାରା ୧୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।ବିଚାର ସମୟରେ ପୀଡ଼ିତାଙ୍କ ବୟାନକୁ କୋର୍ଟ ଗୁରୁତ୍ୱ ଦେଇଥିଲେ। ନାବାଳିକାଙ୍କ ସମ୍ମତି ଆଇନ ଦୃଷ୍ଟିରେ ସମ୍ମତି ଭାବେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ପୀଡ଼ିତାଙ୍କ ବୟାନ ଓ ଅନ୍ୟ ପ୍ରମାଣ ଆଧାରରେ ବିଶ୍ୱଜିତ ଦାସଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇଥିବା କୋର୍ଟ କହିଛନ୍ତି।ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ମିହିର ଶେଖର ସାହୁ ମାମଲା ପରିଚାଳନା କରୁଥିଲେ।