ମାଟ୍ରିକ୍‌ ଖାତାଦେଖା ସରିଲା : ମେ’ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ

କଟକ ୧୬/୦୪: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷାର ମୂଲ୍ୟାୟନ ଶନିବାର ଶେଷ ହୋଇଛି । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖା ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା । ୧୨ ଦିନ ମଧ୍ୟରେ ମୂଲ୍ୟାୟନ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଖାତା ଦେଖା ଶେଷ ହୋଇଛି । ମେ’ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି ।

କିନ୍ତୁ ମାଟ୍ରିକ୍‌, ଏସ୍‌ଓଏସ୍‌ସି ଏବଂ ମଧ୍ୟମା ପରୀକ୍ଷାରେ ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଭାଷାରେ ଥିବା ଉତ୍ତର ଖାତାଗୁଡ଼ିକ ବୋର୍ଡ ସ୍କୁଲ୍‌ରେ ଏବେ ଦେଖା ଚାଲିଛି। ତେଲୁଗୁ ଭାଷାର ପରୀକ୍ଷା ଖାତାଗୁଡ଼ିକ ଜଟଣୀରେ ଦେଖାଯାଉଛି । ଉକ୍ତ ଉତ୍ତର ଖାତାଗୁଡ଼ିକ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ଉପରୋକ୍ତ ଭାଷାଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ସଂଖ୍ୟାରେ ଅଳ୍ପ । ସେହିପରି ଉକ୍ତ ଭାଷାର ଶିକ୍ଷକମାନେ ସଂଖ୍ୟାରେ କମ୍‌ ଥିବାରୁ ଗୋଟିଏ ଦୁଇଟି ସ୍ଥାନରେ ହିଁ ଉତ୍ତର ଖାତା ଦେଖା ଚାଲିଛି । ପ୍ରାୟ ୧୨ ହଜାର ୪ ଶହ ଶିକ୍ଷକ ଖାତା ଦେଖୁଥିଲେ । ମାଟ୍ରିକ୍‌ ରେଗୁଲାର, ଏକ୍ସରେଗୁଲାର ସହ ଏସ୍‌ଓଏସ୍‌ସି ଓ ସଂସ୍କୃତ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ଏଥର ପରୀକ୍ଷା ଦେଇଛନ୍ତି ।

SBI AD