କେନ୍ଦ୍ରାପଡ଼ା ,୨୪/୨ : ରାଜ୍ୟ ସରକାର ମହିଳା ସଶକ୍ତିକରଣ ନେଇ ପ୍ରଥମେ “ତୃପ୍ତ ” ଓ ପରିବର୍ତ୍ତିତ ଯୋଜନାରେ ୨୦୧୪ ରୁ “ଓଡିଶା ଜୀବିକା ମିଶନ” କାର୍ଯ୍ୟ କାରି କରିଛନ୍ତି l ଗ୍ରାମାଞ୍ଚଳରେ ଅନଗ୍ରସର ମହିଳାମାନଙ୍କ ଆର୍ଥିକ ମାନଦଣ୍ଡ ସ୍ୱଚ୍ଛଳତା ନେଇ ଜୀବିକା ମିଶନର କର୍ମକର୍ତ୍ତାମାନେ କାର୍ଯ୍ୟ କରିବାର ଵିଧି ରହିଛି l ଦାରିଦ୍ର୍ୟ ସୀମା ରେଖା, କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ପରିବାର ର ମହିଳା ମାନଙ୍କୁ ସ୍ୱଳ୍ପ ସୁଧ ହାରରେ ସୁବିଧାରେ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି l ଯାହାକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମିଳିତ ଭାବେ ସମ୍ପାଦିତ ହେଉଛି l ଗ୍ରାମାଞ୍ଚଳରେ ପ୍ରଥମେ କିଛି ମହିଳା ଗୋଷ୍ଠୀକୁ ନେଇ ଆଞ୍ଚଳିକ ମଞ୍ଚ (ସିଏଲଏଫ)ଓ ପଂଚାୟତ ସ୍ତରରେ ପଂଚାୟତ ମହାସଂଘ (ଜିପିଏଲଏଫ) ଗଠିତ ହୋଇଛି l ମହାସଂଘ ପାଣ୍ଠିରୁ ଆଞ୍ଚଳିକ ମଞ୍ଚ ଜରିଆରେ ଗୋଷ୍ଠୀ ଗୁଡିକୁ ରିହାତି ସୁଧରେ ଯୋଗାଇ ଦିଆଯାଉଥିବା ଋଣର ସଠିକ ବ୍ୟବହାର ଓ ଋଣ ଆଦାନ ପ୍ରଦାନ ନେଇ ଗୋଷ୍ଠୀ ସହାୟିକା(ସିଆରପି ) ନିଯୁକ୍ତି ଅଛନ୍ତି l ଆଉ ମହାସଂଘ ସ୍ତରରେ ଏମବିକେ ନିଯୁକ୍ତ ରହି ପ୍ରଦତ୍ତ ଋଣ ର ହିସାବ ପତ୍ର ତନଖିଥାନ୍ତି l
ମାତ୍ର ମହାକାଳପଡ଼ା ବ୍ଲକର “ଜୀବିକା ମିଶନ” କାର୍ଯ୍ୟକାରି ହେବାର କିଛି ବର୍ଷ ପରଠୁ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ )ପଦବୀଟି ଖାଲି ପଡିଛି l ଯାହାନେଇ ଅଧସ୍ତନ କର୍ମଚାରୀ ଭାବେ ବ୍ଲକ ଲାଇଭଲିହୂଡ଼ ସଂଯୋଜିକା ବା ବିଏଲସି ଉକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି l କାର୍ଯ୍ୟରତ ବିଏଲସି (ଆଇସି ) ପ୍ରଥମେ ନିଜ ଦାୟିତ୍ୱରେ ଥିବା ପଂଚାୟତ ଗୁଡିକର ଜିପିଏଲଏଫ ଓ ସିଏଲଏଫ ତଦାରଖା କରିବା ସହିତ ଅତିରିକ୍ତ ଭାବେ ବିପିଏମ କାର୍ଯ୍ୟ ନିର୍ବାହ କରିବାରେ ସମସ୍ୟା ସୃଷ୍ଟି ହେଉଛି l ଏପରିକି ବିଏଲସି (ଆଇସି ) ଅଧିକାଂଶ ସମୟରେ ମିଶନ ଶକ୍ତି ଓ ଜୀବିକା ମିଶନ ର ବ୍ଲକ ଓ ଜିପି ସ୍ତରୀୟ ବୈଠକରେ ଉପସ୍ଥିତ ରହୁଥିବାରୁ ବିଭିନ୍ନ ସମସ୍ୟା ଦେଖାଯାଉଛି l ସମୟ ଅଭାବରୁ ହେଉ ବା ଜାଣିଶୁଣି ବ୍ଲକ ଅଧିନସ୍ଥ ୩୧ ପଂଚାୟତ ମଧ୍ୟରେ କେଉଁଠି କେତେବେଳେ ଦେଖା ଦେଉଥିବା ସୃଷ୍ଟ ସମସ୍ୟାର ସମାଧାନର ସୂତ୍ର ବାହାରିବାରେ ଦିନ ଗଡିଚାଲୁଥିବାରୁ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହେଉଛି l ଆହୁରି ମଧ୍ୟ ବିଏଲସି (ଆଇସି)ଙ୍କର କାର୍ଯ୍ୟ ଶୈଳୀର ସୁଯୋଗ ଉଣ୍ଡି କାର୍ଯ୍ୟରତ ଏମବିକେ ଓ ସିଆରପି ମାନେ ମହିଳା ସଶକ୍ତି କରଣ ବିଭାଗରୁ ପ୍ରୋତ୍ସାହନ ରାଶି ହାସଲ କରି ସୁଦ୍ଧା ଗୋଷ୍ଠୀ ଗୁଡିକ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି l ଅଧିକାଂଶ ସମୟରେ ନିର୍ଦ୍ଧାରିତ ଦିବସ ଠାରୁ ଖୁବ କମ ଦିନ ମହାସଂଘ କାର୍ଯ୍ୟାଳୟ ଖୋଲୁଛନ୍ତି l କେତେକ ପଂଚାୟତରେ ଏମବିକେ ମାନେ ବୈଠକ ଦିବସ ବ୍ୟତୀତ ଅନ୍ୟ ଦିନ ଦିନେ ହେଲେ କାର୍ଯ୍ୟାଳୟ ଖୋଲୁନାହାଁନ୍ତି l ଯାହାନେଇ ବିଭାଗୀୟ କର୍ତ୍ତୃପକ୍ଷ ମହାକାଳପଡ଼ା ବ୍ଲକ ଜୀବିକା ମିଶନ କାର୍ଯ୍ୟାଳୟରେ ଅଧା ଦଶନ୍ଧିରୁ ଅଧିକ ଦିନ ଧରି ଖାଲି ପଡ଼ିଥିବା ବିପିଏମ ପଦବୀ ପୂରଣ ନେଇ ଗୋଷ୍ଠୀ ମହିଳା ଦାବି କରନ୍ତି l
