ଧାନ ବିକ୍ରି କରି ନପାରି ଛତର କୃଷି ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ମହାକାଳପଡ଼ା,୨୦ /୨ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର କୃଷକ ମାନଙ୍କ ନିମନ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ସଦାସର୍ବଦା କୃଷକ ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ଯେପରି କେନ୍ଦ୍ରସରକାର ନୂତନ କୃଷି ଆଇନକୁ କୃଷକଙ୍କ ହିତାର୍ଥେ ବୋଲି କହୁଥିବା ବେଳେ ଦେଶବ୍ୟାପି ବିଭିନ୍ନ କୃଷକ ସଂଗଠନ କଳା କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଆସୁଛନ୍ତି। ସେହିପରି ରାଜ୍ୟ ସରକାର ଉନ୍ନତ କୃଷି ପାଇଁ କୃଷକ ମାନଙ୍କୁ କାଳିଆ ଯୋଜନାରେ ସହାୟତା ରାଶି ଯୋଗାଇ ଦେଉଥିବା ବେଳେ କୃଷି ଉତ୍ପାଦିତ ଦ୍ରବ୍ୟ କ୍ରୟ କରିବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । କୃଷି ଓ କୃଷକର ଉନ୍ନତି ନେଇ ଚିନ୍ତା ପ୍ରକଟ କରୁଥିବା ରାଜ୍ୟ ସରକାର ସାଧାରଣ ଭାବେ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ କରାଇ ଅମଳପରେ ଚାଷୀଙ୍କୁ ବିକ୍ରୟ ପାଇଁ ମେସେଜ ପଠାଇ କାମ ସାରିଦେଉଛି । ଯାହାଫଳରେ ମେସେଜ ଅନୁଯାୟୀ ଚାଷୀ ମଣ୍ଡିକୁ ଧାନ ବିକ୍ରୟ ପାଇଁ ନେଇ ଶୀତ କାକରରେ ଦିନରାତି ଅପେକ୍ଷା କରିବାକୁ ପଡୁଛି ।

ସୂଚନା ଅନୁସାରେ ଯୋଗାଣ ବିଭାଗର ଟାର୍ଗେଟ ଅଭାବରୁ ଅନେକ ମଣ୍ଡି କର୍ତ୍ତୃପକ୍ଷ ଧାନ କ୍ରୟ ନେଇ ଅନୁମତି ଦେଇପାରୁନାହାନ୍ତି। ଅନ୍ୟପଟେ ଟାର୍ଗେଟ ଥିବା କେତକ ମଣ୍ଡି କୁ ଏକାଧିକ କେନ୍ଦ୍ରରୁ ଧାନ କ୍ରୟ ଅନୁମତି ପତ୍ର ମିଳିଥିବାରୁ ସେଠାରେ ଚାଷୀଙ୍କ ନିକଟରେ ପହଂଚିବାରେ ବିଳମ୍ବ ହେଉଛି । ମୋଟାମୋଟି ଭାବେ ପୁରୁଣା ଟାର୍ଗେଟ ଶେଷ ହେବା ପରେ ନୂଆ ଟାର୍ଗେଟ ର ସ୍ଥିରତା ରହୁନି । ଏଣୁ ଧୀରେ ସୁସ୍ଥେ ଆସୁଥିବା ସୀମିତ ଟାର୍ଗେଟ ରୁ ଅଧିକାଂଶ ସ୍ଥଳେ ମିଲର ଅସାଧୁ ବେପାରୀ ଓ ମଣ୍ଡି କର୍ତ୍ତୃପକ୍ଷ ଙ୍କ ମଧୁ ଚନ୍ଦ୍ରିକାରୁ କିଛି ଟୋକନ ଧାରୀ ଚାଷୀ ଧାନ ବିକ୍ରୟ ପାଇଁ ହୀନସ୍ଥା ହେଉଛନ୍ତି। ଏହି ଭାବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନସ୍ଥ ଛତର ପ୍ରାଥମିକ କୃଷି ସମବାୟ ସମିତି ରେ ୨୦ ରୁ ୨୫ ଜଣ ପୁରୁଷ ଓ ମହିଳା ଚାଷୀ ନିଜ ଟୋକନ ର ଧାର୍ଯ୍ୟଦିବସ ମଧ୍ୟରେ ଧାନ ବିକ୍ରୟ ପାଇଁ ଆଣି ଥିଲେ । ମାତ୍ର ସମିତି କର୍ତ୍ତୃପକ୍ଷ ଟାର୍ଗେଟ ନାହିଁ କହିଆସଥିବା ବେଳେ ଟାର୍ଗେଟ ଆସିବା ପରେମିଲର ଅନୁପସ୍ଥିତି କଥା କହିବାପରେ ଚାଷୀ ମାନେ ଅଶାନ୍ତି ପ୍ରକଟ କରି ସମିତି କାର୍ଯ୍ୟାଳୟରେ ଶୁକ୍ରବାର ଦିନ ତାଲା ପକାଇଥିଲେ । କିନ୍ତୁ ସୁଖର କଥା ତାଲା ପଡ଼ିବାର ଘଣ୍ଟାଏ ନପୂରୁଣୁ ଚୁକ୍ତିବଦ୍ଧ ମିଲର ସମିତି ନିକଟରେ ପହଂଚି ବିକ୍ରୟ ପାଇଁ ଆସି ପଡ଼ି ରହି ଥିବା ୧୦୦୦କୁଇଣ୍ଟାଲ ଧାନ କ୍ରୟ କରିଛନ୍ତି। ମୁଖ୍ୟତଃ ପଶ୍ଚିମ ଓଡିଶା ର ସୁଦୃଢ ଚାଷୀ ସଂଗଠନ ଚାଷୀ କୂଳ ର ହକ ପାଇଁ ଲଢେଇ କରୁଥିବା ବେଳେ ପୂର୍ବ ଓଡିଶାରେ ଦୁର୍ବଳ ଚାଷୀ ସଂଗଠନ ନ୍ୟାଯ୍ୟ ଦାବିହାସଲ କରି ବାରେ ବିଶେଷ ସଫଳ ହେଉନି। ଯାହାକି ଅନେକ ସମୟରେ ଉପକୂଳ ଚାଷୀଙ୍କୁ ଅନେକ ସମୟରେ ଉପେକ୍ଷା କରାଯାଉଛି ।