ଟୋଲ ପ୍ଲାଜାରେ ବିଧାୟକଙ୍କ ଦାଦାଗିରି, କର୍ମଚାରୀଙ୍କୁ ମାଡ

ହାଇଦ୍ରାବାଦ,୪/୧: ଟୋଲପ୍ଲାଜା କର୍ମଚାରୀଙ୍କୁ ମାଡ ମାରିବା ସହ ଆତଙ୍କ ଖେଳାଇଲେ ବିଧାୟକ । ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ବିଧାୟକ ଦୁର୍ଗମ ଚିନ୍ନାୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ତେଲେଙ୍ଗାନାର ମାଣ୍ଡାମାରି ଟୋଲପ୍ଲାଜାର ହୋଇଥିବାବେଳେ ଏଥିରେ ଦୁର୍ଗମ ଚିନ୍ନାୟା ଜଣେ ଟୋଲ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦେଖାଯାଉଛି। ଦୁର୍ଗମ ଚିନ୍ନାୟା ତେଲେଙ୍ଗାନାର ବେଲମପଲେର ବିଧାୟକ ହୋଇଥିବାବେଳେ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଜାନୁୟାରୀ, ୩ ତାରିଖ ରାତିରେ ଏହି ଘଟଣା ଘଟିଛି। ଗତ ମାସରେ ହିଁ ଏହି ଟୋଲ ପ୍ଲାଜା ଖୋଲା ଯାଇଥିଲା।

ବିଧାୟକଙ୍କ ଗାଡି ଟୋଲପ୍ଲାଜାରେ ପହଞ୍ଚିବାମାତ୍ରେ କର୍ମଚାରୀ ତାଙ୍କୁ ଯିବା ପାଇଁ ଗେଟ୍ ଖୋଲି ନଥିଲେ। ଟୋଲ ଅର୍ଥ ନ ଦେବା ଯାଏଁ ଗେଟ ଖୋଲାଯିବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ । ଆଉ ଜଣେ ବିଧାୟକଙ୍କୁ ଏଭଳି କାହିଁକି କୁହାଗଲା ଭାବି ଏଥିରେ ରାଗିଯାଇ କାରରୁ ବାହାରି କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। ବିଧାୟକଙ୍କ କହିବାନୁସାରେ, ଯେତେବେଳେ ରାସ୍ତା କାମ ଶେଷ ହୋଇନାହିଁ, ସେତେବେଳେ ଟୋଲ୍ ଆଦାୟ କରାଯାଉଛି କିପରି ?