ଭୁବନେଶ୍ୱର : ଆଜି ହେଉଛି ପହିଲି ରଜ । ଉତ୍ସବ ମୁଖର ହୋଇପଡିଛି ପଲ୍ଲୀରୁ ଦିଲ୍ଲୀ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ, କିନ୍ତୁ ପୂର୍ବ ବର୍ଷ ପରି ଏଥର ବି ରଜ ମଉଜକୁ ଫିକା କରିଛି କରୋନା । ଓଡ଼ିଶାର ଏହି ଗଣପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଟ୍ଵିଟ୍ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା। କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ। ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଜ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆମର ଗଣ ପର୍ବ ‘ରଜ’ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀ, ଗୁରୁଜନ ମାନଙ୍କୁ ମୋର ଶୁଭେଚ୍ଛା । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବା ହେଉଛି ‘ରଜ’ ପର୍ବର ଅନନ୍ୟ ପରମ୍ପରା । ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା ।