ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ

ଭୁବନେଶ୍ୱର,୨୩/୬: ଆଜି ପବିତ୍ର ଘୋଷଯାତ୍ରା । ବଡ଼ଦାଣ୍ଡରେ ତିନି ରଥରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯାଉଛନ୍ତି କାଳିଆ ଠାକୁର । ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । କୋଟି କୋଟି ଶ୍ରଦ୍ଧାଳୁ ଟିଭି ମାଧ୍ୟମରେ ଦେଖୁଛନ୍ତି ରଥଯାତ୍ରା ।ସେହିପରି ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ଠାକୁରଙ୍କୁ ପ୍ରଣାମ କରିଥିବା ଦେଖିବାକୁ ମିଳିଛି ।

ଏହାସହ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି । ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ।