ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ, ଆଜି ସନ୍ଧ୍ୟାରେ ବସିବ ବିଜେଡି ସଂସଦୀୟ ଦଳର ବୈଠକ

ଭୁବନେଶ୍ୱର, ୧୩/୦୭ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟସଭା ସାଂସଦମାନେ ଯୋଗଦେବେ । ବୈଠକରେ ଓଡ଼ିଶାର ସ୍ୱାର୍ଥ ଓ ହକକୁ ନେଇ ସଂସଦରେ କେଉଁ କେଉଁ ପ୍ରସଙ୍ଗ ଉଠାଯିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ନବୀନ ନିବାସ ବୈଠକରେ ମୁଖ୍ୟତଃ ୫-୬ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଓଡ଼ିଶା ଦୀର୍ଘ ଦିନ ଧରି ଦାବି କରିଆସୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗକୁ ବିଜେଡି ଏହି ଅଧିବେଶନରେ ଜୋରଦାର ଭାବେ ଉଠାଇବ। କେନ୍ଦ୍ର ଅନୁଦାନ ହ୍ରାସ ଓ ରାଜ୍ୟର ବିକାଶ ପାଇଁ ଏହି ମାନ୍ୟତା କେତେ ଜରୁରୀ, ତାହା ସଂସଦରେ ଉପସ୍ଥାପନ କରାଯିବ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସଂସଦୀୟ ଆସନ ସୀମା ନିର୍ଦ୍ଧାରଣରେ କେବଳ ଜନସଂଖ୍ୟାକୁ ମାନଦଣ୍ଡ କରାଯିବା ନୀତିକୁ ବିଜେଡି ବିରୋଧ କରୁଛି। ଓଡ଼ିଶା ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କରିଥିବାରୁ ଏହା ଦ୍ୱାରା ରାଜ୍ୟର ସଂସଦୀୟ ଆସନ ସଂଖ୍ୟା କମିବାର ଭୟ ରହିଛି ।

ଏହି ପ୍ରସଙ୍ଗରେ କେନ୍ଦ୍ର ଉପରେ ଚାପ ପକାଇବାକୁ ରଣନୀତି ହେବ । ଓଡ଼ିଶାର ରେଳବାଇ ପ୍ରକଳ୍ପ, କୋଇଲା ରୟାଲଟି ସଂଶୋଧନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସହାୟତାରେ କେନ୍ଦ୍ରର ଟାଳଟୁଳ ନୀତି ବିରୋଧରେ ଦଳୀୟ ସାଂସଦମାନେ ଗୃହରେ ସ୍ୱର ଉତ୍ତୋଳନ କରିବେ। ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ବିଜେଡି ଦାବି କରିବ, ଯାହା ନବୀନ ପଟ୍ଟନାୟକଙ୍କର ଏକ ପ୍ରମୁଖ ଏଜେଣ୍ଡା ରହିଆସିଛି । ପାଠ୍ୟପୁସ୍ତକରେ ରହୁଥିବା ତ୍ରୁଟି ଏବଂ ଓଡ଼ିଶାର ଶିକ୍ଷାଗତ ଅଧିକାର ଭଳି ସାମାଜିକ ପ୍ରସଙ୍ଗରେ ଦଳ କେନ୍ଦ୍ର ସରକାରଙ୍କ ଘେରିବାକୁ ପ୍ରସ୍ତୁତ ହେଉଛି । ବଦଳିଥିବା ରାଜନୈତିକ ସ୍ଥିତିରେ, କେନ୍ଦ୍ରରେ ଶାସକ ଦଳ ସହ କିଭଳି ଆଭିମୁଖ୍ୟ ରଖାଯିବ ଏବଂ ଉଭୟ ଗୃହରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କିଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯିବ, ସେ ନେଇ ନବୀନ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେବେ ।