ବିବାହିତା ମହିଳାଙ୍କୁ ପ୍ରେମ କରି ହରଡ଼ଘଣାରେ ପଡ଼ି ଜୀବନ ହାରିଲେ ଯୁବକ

ମାଲକାନଗିରି : ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଏମ୍ଭି -୯୨ ଗାଁରୁ । ଗାଁର ସାଗର ସରକାର ନାମକ ଜଣେ ୨୨ ବର୍ଷୀୟ ଯୁବକ ଗତ କିଛି ଦିନ ପୂର୍ବରୁ କଲିକତାରେ କାମ କରିବା ସମୟରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ନିଜ ଗାଁକୁ ଆଣିଥିଲେ।

ଗାଁ ଲୋକଙ୍କ ପାଖରେ ଖବର ପହଞ୍ଚିବା ପରେ ଗାଁ କମିଟି ଏକ କଙ୍ଗାରୁ କୋର୍ଟ କରି ସାଗର ଓ ତାଙ୍କ ବାପା ରବି ସରକାରଙ୍କୁ ଡାକିଥିଲେ । କଙ୍ଗାରୁ କୋର୍ଟରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ଆଣିଥିବାରୁ ସାଗରଙ୍କୁ ଗାଁ କମିଟି ସଦସ୍ୟ ମାଡ଼ ମାରିବା ସହ ୪୫ ହଜାର ଟଙ୍କା ଜରିମାନା ପକାଇଥିଲେ ଓ ଉକ୍ତ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ସହ ପଠାଇଦେଇଥିଲେ।

ଗାଁ କମିଟିରେ ମାଡ଼ ଓ ଜରିମାନା ପକାଇବା ଘଟଣାକୁ ସହ୍ୟ ନ କରି ପାରି ସାଗର ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସାଗରଙ୍କ ପରିବାର ଲୋକେ। ଗାଁ କମିଟି ସଭାପତି ଏହାକୁ ଖଣ୍ଡନ କରିଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ଶବକୁ ଜବତ କରି ତଦନ୍ତ ଆରମ୍ଭ କରାଯାଇଛି। ତେବେ ମାଲକାନଗିରି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।