ଭୁବନେଶ୍ୱର,୨୫/୩ : ୫୫ ନମ୍ବର ଜାତୀୟ ରାଜପଥର କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୫ ବର୍ଷ ପରେ ବି ରାସ୍ତା କାମ ଶେଷ ହେଉନଥିବାରୁ ନବୀନ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା କାମ ସାରିବାକୁ ସେ ନିବେଦନ କରିଛନ୍ତି।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସରୁନି। ଜାତୀୟ ରାଜପଥ ୫୫ ପଶ୍ଚିମ ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ତେବେ ଏହି ରାସ୍ତାର ଅଧପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନହାନି ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ୩୯୯ ଟି ଦୁର୍ଘଟଣା ଘଟିଛି। ସେଥିରେ ୧୯୬ ଜଣଙ୍କର ମୂଲ୍ୟବାନ ଜୀବନ ଯାଇଛି । ରାସ୍ତା କାମରେ ଶେଷ ହେବାରେ ବିଳମ୍ବ ହେତୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।