ନୂଆଦିଲ୍ଲୀ, ୨୨/୬ : ନିଜ ଅଞ୍ଚଳ ବୋଲି ଦାବି କରି ସୀମାନ୍ତ ଅଞ୍ଚଳରେ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ବିହାର ସରକାରଙ୍କ ଜଳ ସମ୍ପଦ ବିଭାଗର ନଦୀବନ୍ଧ ମରାମତି କାର୍ଯ୍ୟ ଅଟକାଇଛନ୍ତି।
ବିହାର ସରକାରଙ୍କ ଅଧିକାରୀମାନେ କହିଛନ୍ତି ଯେ, ପୂର୍ବ ବିହାରର ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ଲାଲ୍ ବେକେ ନଦୀ ବନ୍ଧର ମରାମତି କାର୍ଯ୍ୟ କରିବାକୁ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ଅନୁମତି ଦେଉନାହାନ୍ତି। ବିହାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ନଦୀରେ ଅନେକ ବର୍ଷ ତଳୁ ବନ୍ଧ ନିର୍ମାଣ ସରିଥିଲେ ବି ନେପାଳୀ ସରକାରୀ କର୍ତ୍ତୃପକ୍ଷଙ୍କ ଆପତ୍ତି ସେମାନଙ୍କୁ ବିସ୍ମିତ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଜଳ ସମ୍ପଦ ବିଭାଗ କର୍ତ୍ତୃପକ୍ଷମାନେ ଆଞ୍ଚଳିକ ସ୍ତରରେ ମାମଲାର ସମାଧାନ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ନେପାଳୀମାନେ ତାଙ୍କ କଥା ଶୁଣିଲେ ନାହିଁ। ସମ୍ପ୍ରତି ବିହାର ସରକାର ଏ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ନେପାଳସ୍ଥିତ ଭାରତୀୟ ଦୂତାବାସକୁ ଅବଗତ କରାଇଛନ୍ତି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଅଳ୍ପ ଦିନ ତଳେ ନେପାଳ ତା’ର ରାଜନୈତିକ ମାନଚିତ୍ର ସଂଶୋଧନ କରି ଉତ୍ତରାଖଣ୍ଡର ଭାରତୀୟ ଅଞ୍ଚଳ ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳ ଭାବେ ଦର୍ଶାଇଛି। ଏହାକୁ ନେପାଳର ଜାତୀୟ ବିଧାନସଭା ମଧ୍ୟ ଅନୁମୋଦନ କରିଛି।