ଭାଇରସ୍‌ ଭୟରେ ଘରମୁହାଁ ଶ୍ରମିକ

କେରଳ ରାଜ୍ୟରେ କାମ କରୁଥିବା ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଅନ୍ତର୍ଗତ ବାହାକୁଦ ଗ୍ରାମର ପ୍ରାୟ ୧୨ ଜଣ ଶ୍ରମିକ ଘରକୁ ଫେରି ଆସିଥିବା ନେଇ ସୋମବାର ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, କେରଳ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବହୁ ଓଡିଆ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଆଉ କେତେଜଣ ହୋଟେଲରେ କାମ କରୁଛନ୍ତି। ତେବେ କେରଳ ରାଜ୍ୟରେ ନିପା ଭାଇରସ୍‌ ବ୍ୟାପିଥିବା ଖବର ପ୍ରଚାରିତ ହେବା ପରେ ଏସବୁ ଶ୍ରମିକ ଆତଙ୍କିତ ହୋଇପଡିଛନ୍ତି।
ନିପା ଭାଇରସରୁ ଦୂରେଇ ରହିବା ପାଇଁ କେରଳର କନୁର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଫଳ ଓ ଜୁସ୍‌ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏଥିସହ ସ୍ଥାନୀୟ ପ୍ରଶାସନ, ପୋଲିସ ଓ କାମ କରୁଥିବା କମ୍ପାନୀ ମାଲିକଙ୍କ ନିର୍ଦ୍ଦେଶ ଅନୁସାରେ ଆମେମାନେ କାମଛାଡି ଘରକୁ ପଳାଇ ଆସିଛୁ ବୋଲି କେରଳରୁ ଘରକୁ ଫେରିଥିବା ଶ୍ରମିକ ମାନେ କହିଛନ୍ତି।