କୌଣସି ବିଚାରପତି ବିଜେପି ନେତାଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ,୨୫/୩ : ରାହୁଲ ଗାନ୍ଧିଙ୍କୁ ସଜା ହେବା ପ୍ରସଙ୍ଗରେ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ, ବିଜେପି ମୁଖପାତ୍ର ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ, ସାଂସଦ ହୁଅନ୍ତୁ କିମ୍ବା ନିଜେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେମାନେ ମୋ ପରିବାର, ରାହୁଲ ଜୀ, ଇନ୍ଦିରା ଜୀ, ମୋ ମା ଏବଂ ନେହେରୁଜୀଙ୍କୁ ସମାଲୋଚନା କରନ୍ତି । ଅପମାନଜନକ ଭାଷା ବ୍ୟବହାର କରନ୍ତି। ସେମାନଙ୍କ ବିଷୟରେ ଅନ୍ୟାନ୍ୟ ଖରାପ କଥା କୁହନ୍ତି । କିନ୍ତୁ କୌଣସି ବିଚାରପତି ସେମାନଙ୍କ ବିରୋଧରେ ଦୁଇ ବର୍ଷର ଜେଲ ଦଣ୍ଡ ଘୋଷଣା କରି ନାହାଁନ୍ତି କିମ୍ବା ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିନାହାନ୍ତି।

ସେ କହିଛନ୍ତି, ମୋ ଭାଇ ଆଦାନୀଙ୍କ ପ୍ରସଙ୍ଗ ଉଠାଇଥିଲେ ଏବଂ ସେଥିପାଇଁ ଏସବୁ ଘଟୁଛି। ମୋ ଭାଇ ଆଦାନୀ ବିଷୟରେ ସଂସଦରେ ଭାଷଣ ଦେବା ପରେ ହଠାତ୍ ଏହି ମାମଲା ପୁନର୍ଜୀବିତ ହୋଇଛି। ଏହି ପରିବାର ଭାରତର ଲୋକଙ୍କ ସ୍ୱର ଉତ୍ତୋଳନ କରିଆସୁଛି। ପିଢ଼ି ପରେ ପିଢ଼ି ସତ୍ୟ ପାଇଁ ଏହି ପାରିବାର ଲଢ଼େଇ ମଧ୍ୟ କରିଆସୁଛି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧି କେବେ ମୁଣ୍ଡ ନୂଆଁଇବେ ନାହିଁ। କାରଣ ସେ ଏପରି ଏକ ପରିବାରର, ଯାହାର ସଦସ୍ୟମାନଙ୍କ ରକ୍ତରେ ଗଣତନ୍ତ୍ର ଧାରା ପ୍ରବାହିତ ହେଉଛି। ସୂଚନା ଅନୁଯାୟୀ, ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ପରେ ଲୋକସଭା ସାଂସଦ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବିଧାନର ଧାରା ୧୦୨ (୧)(ଇ) ଅନୁସାରେ ସଦସ୍ୟତା ରଦ୍ଦ, ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ୱାରା ଦଣ୍ଡାଦେଶ ଘୋଷଣା ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ କରାଯାଇଛି।