ଭୁବନେଶ୍ୱର,୩୧/୩ : ରାଜ୍ୟ ସରକାରଙ୍କ ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଋଣ ପରିମାଣ ୭୨,୪୮୫.୦୬କୋଟି ଟଙ୍କା ଥିଲେ ମଧ୍ୟ ଓଡ଼ିଶା ଉପରେ ମୋଟ ଆର୍ଥିକ ବୋଝ ୧ ଲକ୍ଷ ୨୦ହଜାର ୧୩୯କୋଟି ଟଙ୍କା ରହିଛି । ୨୦୨୦-୨୧ରେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି)ର ପରିମାଣ ୬ଲକ୍ଷ ୩୮ହଜାର ୩୪୨କୋଟି ଟଙ୍କା ଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।
ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ମସିହାର ସାମଗ୍ରିକ ଆର୍ଥିକ ସ୍ଥିତିର ବାର୍ଷିକ ସିଏଜି ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏଥିରେ ଦର୍ଶାଯାଇଛି ଯେ, ରାଜ୍ୟସରକାର ବିଧାନସଭା ଦ୍ୱାରା ସ୍ଥିରୀକୃତ ସମୟସୀମା ପର୍ଯ୍ୟନ୍ତ ରାଜ୍ୟର ସଂଗଠିତ ପାଣ୍ଠିର ସୁରକ୍ଷା ଦେଇ ଋଣ ନେଇପାରିବେ । ଓଡ଼ିଶା ଏଫଆରବିଏମ୍ ଆକ୍ଟ-୨୦୦୫ ଅନୁସାରେ ରାଜ୍ୟ ସରକାର ଆର୍ଥିକ ପରିଚାଳନା ଓ ଆର୍ଥିକ ସୁଦୃଢ଼ତାକୁ ଦୃଷ୍ଟିରେ ରଖି ଧୀରେଧୀରେ ରାଜସ୍ୱ ନିଅଂଟ ହ୍ରାସ କରିବେ ଓ ଆର୍ଥିକ ସ୍ଥିରତା ସହ ଖାପଖୁଆଇ ଚିରସ୍ଥାୟୀ ଋଣ ପରିଚାଳନା କରିବେ ।
