ଆଗାମୀ ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର : ଜୁନ୍‌ ଶେଷ ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ଅଭାବୀ ବର୍ଷା ଦେଖିବାକୁ ମିଳିଥିଲା। ତେବେ ଜୁଲାଇ ଆରମ୍ଭରୁ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଅଳ୍ପ ବହୁତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଜୁନ୍‌ ୧ରୁ ଜୁଲାଇ ୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମୁଦାୟ ୨୦୬.୯ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୪୬. ୨ ମିମି ବର୍ଷା ହୋଇଥାଏ। ଅର୍ଥାତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬% କମ୍‌ ବର୍ଷା ରେକର୍ଡ ହେଲାଣି। ଭଦ୍ରକ, ଯାଜପୁର, କେନ୍ଦୁଝର ଓ ଗଜପତି ଆଦି ଜିଲ୍ଲାରେ ଏ ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍‌ ବା ୬୦%ରୁ କମ୍‌ ବର୍ଷା ହୋଇଯାଇଛି। ଏଥିସହ ଆଉ ୮ଟି ଜିଲ୍ଲାରେ ମଧ୍ୟ ନିଅଣ୍ଟିଆ ବର୍ଷା ପରିଲକ୍ଷିତ ହୋଇଛି। କୋରାପୁଟ ଜିଲ୍ଲାରେ ସ୍ବାଭାବିକଠାରୁ ଅତି ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରତିଦିନ କିଛି କିଛି ବର୍ଷା ହେବାର ସମ୍ଭାବନ‌ା ରହିଛି। ୪ ଓ ୭ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ। ଆସନ୍ତାକାଲି ଜଗତସିଂହପୁର, କଟକ, ଢେଙ୍କାନାଳ, ଖୋର୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର,‌ କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ସେହିପରି ୫ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୬ ତାରିଖ ଦିନ ବି ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ଦିନ ବର୍ଷର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।